ପୁରୀ: ଶ୍ରୀମନ୍ଦିରର ଗାରଦ ଘରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରିପୋର୍ଟ ତଲବ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ରିପୋର୍ଟ ମାଗିଛନ୍ତି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଚୋରି ଅଭିଯୋଗ ସତ୍ୟ ଆଧାରିତ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ତେବେ ମନ୍ଦିରର ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା ନ କରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ରାଜବୈଦ୍ୟମାନେ ମୋଦକ ଆଣି ଗାରଦ ଘରେ ଦାଖଲ କରନ୍ତି । କିନ୍ତୁ ଏହାକୁ କୌଣସି କର୍ମଚାରୀ କିମ୍ବା ଅଧିକାରୀ ଛୁଇଁ ପାରିବେ ନାହିଁ କିମ୍ବା ଗଣନ୍ତି ନାହିଁ । ସେମାନେ ଯେତିକି କୁହନ୍ତି ତାହାକୁ ଟିପା ଖାତାରେ ତାଲିକା କରାଯାଇ ରଖାଯାଇଛି । ଦଇତାପତି ନିଯୋଗର ସମ୍ପାଦକ ତାକୁ ମହାପ୍ରଭୁଙ୍କ ନିକଟରେ ଭୋଗ କରିବାକୁ ନେଇଥିଲେ । କମାଣ୍ଡକରଙ୍କ ସୂଚନା ଅନୁସାରେ ପ୍ରାରମ୍ଭିକ ତଦନ୍ତରୁ ମୋଦକ ଚୋରି ହୋଇଥିବା ଅଭିଯୋଗ ସତ୍ୟ ଆଧାରିତ ନୁହେଁ । ତଥାପି ବାଡ଼ଗ୍ରାହୀଙ୍କ ଅଭିଯୋଗକୁ ଗୁରୁତର ସହିତ ନିଆଯାଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଗୁପ୍ତ ନୀତି ସମ୍ପର୍କରେ ବାହାରେ ଆଲୋଚନା ନ କରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି । କିଛି କଥାକୁ ବାହାରେ ପ୍ରକାଶ ନ କରିବାକୁ ସେ ଅନୁରୋଧ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଅଭିଯୋଗ ଆଣିଥିଲେ ଯେ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଆସିଥିବା ୩୧୩ ଟି ମୋଦକ ବଦଳରେ ୨୪୩ଟି ମୋଦକ ଲାଗି କରାଯାଇଥିଲା । ବାକି ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ କରିଛନ୍ତି ହଳଧର ଦାସ ମହାପାତ୍ର । ଚୋରି ହେବା ପରେ ଅମଣିଆ ମୋଦକ କିପରି ଲାଗି କରାଯାଇଛି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ।