ପୁରୀ: ସରୁଛି ଅଣବସରର ନୀତିକାନ୍ତି । ସୁସ୍ଥ ହେଲେ ମହାପ୍ରଭୁ । ଖୁବ ଶୀଘ୍ର ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ । ଆଜି ଅଣବସରର ଚତୁର୍ଦ୍ଦଶୀ ତିଥିରେ ଖଡି ପ୍ରସାଦ ବିଜେ ନୀତି ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡି ପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବାୟତମାନେ ରୂପା ଥାଳିରେ ଆଣି ଗଜପତିଙ୍କୁ ଦେବେ । ଏହାସହ ଦତ୍ତମହାପାତ୍ର ସେବାୟତମାନଙ୍କ ଦ୍ୱାରା ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବାୟତମାନେ ପାରମ୍ପରିକ ରଙ୍ଗ ହେଙ୍ଗୁଳ, ହରିତାଳ, କେଶର, କସ୍ତୁରୀ ରଙ୍ଗ ବ୍ୟବହାର କରି ଶ୍ରୀମୁଖ ଶୃଙ୍ଗାର କରିବେ । ଶ୍ରୀମୁଖ ଶୃଙ୍ଗାର ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଝଟକିବ ।
ଗୋଟେ ପଟେ ଜ୍ବରରୁ ଉପଶମ ପାଇ ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେବେ । ଅନ୍ୟପଟେ ଆଉ ତିନିଦିନ ପରେ ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏହା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।