ନୂଆଦିଲ୍ଲୀ: କେବେ ହଁ ଏବଂ କେବେ ନା ମଧ୍ୟରେ ଶେଷରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସକାଳେ ଏହାର ଘୋଷଣା କରିଥିଲେ । ମାତ୍ର ଏହା ପରେ ବି ଇରାନ ପକ୍ଷରୁ ଇସ୍ରାଏଲ ଉପରେ ହମଲାର ଖବର ଆସିଛି । ଏହି ଆକ୍ରମଣରେ ଇସ୍ରାଏଲର ତିନି ନାଗରିକଙ୍କ ମୃତ୍ୟୁ ଘଟିଛି । ଏହା ପରେ ଟ୍ରମ୍ପ ଆଉ ଏକ ପୋଷ୍ଟ କରିଛନ୍ତି । ନିଜର ସୋସିଆଲ ମିଡିଆ ଟ୍ରୁଥରେ ଲେଖିଛନ୍ତି, ଇରାନ ଓ ଇସ୍ରାଏଲ ମଧ୍ୟରେ ଏବେ ଅସ୍ତ୍ରବିରତି ଲାଗୁ ହେଉଛି । ହୋଇପାରେ ଇରାନ ଇସ୍ରାଏଲ ଉପରେ ହମଲା କରିଛି, କିନ୍ତୁ ଏବେ ଯୁଦ୍ଧ ଥମିଛି ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ।
ଏହା ବ୍ୟତୀତ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମଧ୍ୟ ଅସ୍ତ୍ରବିରତି ଲାଗୁ ହୋଇଥିବା କହିଛନ୍ତି । ସେ କହିଛନ୍ତି ଆମେ ଲକ୍ଷ୍ୟ ହାସଲ କରି ନେଇଛୁ । ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଆମେ ଧ୍ୱଂସ କରି ଦେଇଛୁ । ଏହା ସହିତ ଇରାନ ପକ୍ଷରୁ ବାଲିଷ୍ଟିକ ମିସାଇଲ ଆକ୍ରମଣର ସମ୍ଭାବନାକୁ ସମାପ୍ତ କରି ଦେଇଛୁ । ନେତନ୍ୟାହୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଟ୍ରମ୍ପ ଇସ୍ରାଏଲର ସମର୍ଥନ ଦେଇ ଇରାନର ଆଣବିକ ବିପଦକୁ ସମାପ୍ତ କରିବାରେ ସାହାଯ୍ୟ କରିଥିବା ନେତନ୍ୟାହୁ କହିଛନ୍ତି ।
ଅସ୍ତ୍ରବିରତିର ଘୋଷଣା ପରେ ବି ଇରାନ ପକ୍ଷରୁ ମଙ୍ଗଳବାର ସକାଳେ ଇସ୍ରାଏଲ ଉପରେ ମିସାଇଲ ମାଡ ହୋଇଛି । ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ଖୋଦ ଇସ୍ରାଏଲ କହିଛି । ଜବାବରେ ଇସ୍ରାଏଲ ମଧ୍ୟ ଇରାନ ଉପରେ ହମଲା କରିଛି । କିନ୍ତୁ ଦୁଇ ଦେଶ ଆକ୍ରମଣ କଥାକୁ ସ୍ୱୀକାର କରି ନାହାନ୍ତି । ମାତ୍ର ଏବେ ଇରାନ ଓ ଇସ୍ରାଏଲ ପକ୍ଷରୁ ସଙ୍କେତ ମିଳିଛି ଯେ, ଦୁଇ ଦେଶ ଅସ୍ତ୍ରବିରତିକୁ ସ୍ୱୀକାର କରିଛନ୍ତି ।