ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ବିକଟାଳ ରୂପ ନେବାକୁ ଯାଉଛି। ଇରାନ-ଇସ୍ରାଏଲ ଆମେରିକୀୟ ସାମରିକ ଘାଟି ଉପରେ ଇରାନ ବଡ଼ ଆକ୍ରମଣ କରିଛି। ଇରାନ କାତାରରେ ଥିବା ଆମେରିକୀୟ ବାୟୁସେନା ଘାଟି ଏବଂ ଇରାକର ଅଲ ଅସଦ ବାୟୁସେନା ଘାଟି ଉପରେ ଅନେକ କ୍ଷେପଣାସ୍ତ୍ର ମାଡ଼ କରିଛି। ଇରାନ ସେନା ବାହାରିନରେ ଥିବା ଆମେରିକୀୟ ସାମରିକ ଘାଟିକୁ ମଧ୍ୟ ଟାର୍ଗେଟ କରିଛି।
ଆକାଶ ସୀମା ବନ୍ଦ କଲା UAE
ଇରାନର ଆକ୍ରମଣ ପରେ ୟୁଏଇ ଏବଂ ବାହାରିନ ସେମାନଙ୍କର ଆକାଶ ସୀମା ବନ୍ଦ କରିଦେଇଛି। ଆକ୍ରମଣକୁ ନେଇ ଓମାନ, କୁଏତ ଏବଂ ବାହାରିନରେ ସାଇରନ ବାଜୁଛି। ଏହି ଆକ୍ରମଣ କରିଥିବା ଇରାନର ସେନା ସ୍ପଷ୍ଟ କରିଛି। ଇରାନ ନିଜର ହମଲାକୁ ବିଜୟର ଅଭିଯାନ ବୋଲି ଅଭିଭିତ କରିଛି। ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନି ମଧ୍ୟ ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେତାବନୀ ଦେଇଥିଲେ।
ତଥାପି, କାତାର ବିବୃତ୍ତି ଜାରି କରି କହିଛି ଯେ ଇରାନ ଦ୍ୱାରା କରାଯାଇଥିବା ଆକ୍ରମଣକୁ ପଣ୍ଡ କରାଯାଇଛି। ଏହା ମଧ୍ୟରେ ସାଉଦି ଆରବରେ ଆମେରିକାର ଲଢ଼ୁଆ ବିମାନ ଦେଖାଯାଇଛି। ଏହି ଆକ୍ରମଣ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁରକ୍ଷା କମିଟିର ବଡ଼ ବୈଠକ ଡାକିଛନ୍ତି।
ଏହି ହମଲା ପୂର୍ବରୁ ଇରାନ ଆମେରିକା ବିରୋଧରେ ପ୍ରତିଶୋଧ ନେବା ପାଇଁ ଚେତାବନୀ ଦେଇଥିଲା। ଇରାନୀ ସେନାର ନୂତନ ମୁଖ୍ୟ ମେଜର ଜେନେରାଲ ଆମିର ହାତାମି ବି ଆମେରିକାକୁ ଚେତାବନୀ ଦେଇଥିଲେ। ସେ କହିଥିଲେ, ଆମେରିକାର ପ୍ରତିଟି ଆକ୍ରମଣର କଡ଼ା ଜବାବ ଦିଆଯିବ। ଆମର ଅନେକ ସୈନିକ ସହିଦ ହୋଇଛନ୍ତି, କିନ୍ତୁ ଆମେ ପୂର୍ଣ୍ଣ ଶକ୍ତି ଏବଂ ସାହସର ସହିତ ଲଢ଼ିବୁ।
କାତାରରେ ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ ପରେ ଭାରତୀୟ ଦୂତାବାସ ଆଡଭାଇଜରି ଜାରି କରିଛି। ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ସତର୍କ ରହିବା ଏବଂ ଘର ଭିତରେ ରହିବାକୁ ଭାରତୀୟ ଦୂତାବାସ ଅନୁରୋଧ କରିଛି। ଭାରତୀୟ ଦୂତାବାସ କହିଛି, "ସ୍ଥାନୀୟ ଖବର, ନିର୍ଦ୍ଦେଶ ଏବଂ ମାର୍ଗଦର୍ଶନ ଅନୁସରଣ କରନ୍ତୁ।
ଇରାନ ସିରିଆରେ ଥିବା ଆମେରିକୀୟ ସେନା ଘାଟି ଉପରେ ବି ଆକ୍ରମଣ କରିଛି। ମେହର ନ୍ୟୁଜ୍ ଅନୁଯାୟୀ, ସିରିଆର ପଶ୍ଚିମ ହାସାକା ପ୍ରଦେଶର ଏକ ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରିଛି। ଇରାନ ମୋର୍ଟାର ମାଡ କରି ଏହି ଆକ୍ରମଣ କରିଛି। ଏହା ପରେ ସେନା ଘାଟିର ପ୍ରବେଶ ଦ୍ୱାରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।