କଟକ ସିଏମସି ବୈଠକରେ ହଙ୍ଗାମା। ବିଭିନ୍ନ ଦାବି ନେଇ ହୋ-ହାଲ୍ଲା କରିବା ସହ ବିନା ପିସି କାରବାରରେ କାମ ହେଉଥିବା ଅଭିଯୋଗ କରିଛନ୍ତି। ବୁଧବାର କଟକ ମହାନଗର ନିଗମର ୩୦ତମ ସାଧାରଣ ପରିଷଦ ଥିବା ବେଳେ ଆରମ୍ଭରୁ ହୋ ହାଲ୍ଲା ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ଗୃହ ମଝିକୁ ଆସି, ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିଥିଲେ ବିରୋଧୀ କର୍ପୋରେଟର। ବସ୍ତି ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ବାୟୋ ଟଏଲେଟଗୁଡ଼ିକ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବା ଅଭିଯୋଗ ଆଣି ପ୍ରତିବାଦ କରିଥିଲେ । ବ୍ୟାନରରେ ଏକ ବାଲ୍ଟି ଧରି ଛିଡା ହୋଇ ଥିବା ମେୟରଙ୍କ ଫଟୋ ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ପୋରେଟଙ୍କ ଅଭିଯୋଗ ରହିଛି କି, ବିନା ପିସି କାରବାରରେ କୌଣସି କାମ ହେଉନି। ହାତରେ ବିଡା ବିଡା ନୋଟ୍ ଧରି ପ୍ରତିବାଦ କରିଥିଲେ କର୍ପୋରେଟର କାମେଶ୍ୱର୍ ରାଓ।
ପରେ କିଛି ସମୟ ପାଇଁ ଗୃହ ସ୍ଵଭାବିକ ଚାଲିଥିଲା। କିନ୍ତୁ ପୁଣି ପାଟିତୁଣ୍ଡରେ କମ୍ପିଥିଲା କାଉନସିଲ ବୈଠକ। ଆରୋପ ପ୍ରତ୍ୟାରୋପରେ କମ୍ପିଥିଲା ସିଏମସି ସମ୍ମିଳନୀ କକ୍ଷ। ତରବରିଆ ଭାବରେ ଜେଇ ଅଦଳ ବଦଳ ପ୍ରସଙ୍ଗକୁ ନେଇ ବେଶ୍ ହୋ ହାଲ୍ଲା ଦେଖିବାକୁ ମିଳିଥିଲା। ସି ଏମ ସି କମିଶନର ଜେ.ଇ ମାନଙ୍କର ଅଦଳବଦଳ ନେଇ ଚିଠି କରିଥିଲେ, ଯାହାକୁ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି କର୍ପୋରେଟର। ଏହାପରେ କର୍ପୋରେଟରମାନେ ବିଭିନ୍ନ ୱାର୍ଡର ସମସ୍ୟା ଗୃହରେ ଉପସ୍ଥାପନ କରିଥିଲେ । ନିର୍ବାଚିତ ପ୍ରତିନିଧିମାନେ ରାସ୍ତା ଘାଟ, ଡ୍ରେନ, ଜଳ ନିଷ୍କାସନ, ମଶା ଉପଦ୍ରବ ଆଦି ବିଭିନ୍ନ କଥା ଉଠାଇଥିଲେ । ଖରାଦିନ ପାଇଁ ଜଳ ଯୋଗାଣ ପମ୍ପ ଅପରେଟର ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଥିଲେ କିଛି କର୍ପୋରେଟର। କମିଟିକୁ ନ ଜଣାଇ ନଗର ଯନ୍ତ୍ରୀ ତିରିଶରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ କିପରି ନିଯୁକ୍ତି ଦେଲେ ବୋଲି ପ୍ରଶ୍ନ ଉଠାଇଥିଲେ ୫୧ ନମ୍ବର୍ ୱାର୍ଡର କର୍ପୋରେଟର। ସେହିପରି ବର୍ଜ୍ୟବସ୍ତୁରୁ ବାୟୋ ଗ୍ୟାସ ଜାଳେଣି ପ୍ରସ୍ତୁତ ପାଇଁ ଅଏଲ ଇଣ୍ଡିଆ କମ୍ପାନୀ ସହିତ ସିଏମସି କରିଥିବା ଏମଓୟୁ ସମ୍ପର୍କରେ କର୍ପୋରେଟରମାନଙ୍କୁ ନ ଜଣାଇ କାହିଁକି ଅନ୍ଧାରରେ ରଖାଗଲା, ଏହା ପଛର ଉଦ୍ଦେଶ୍ୟ କଣ ବୋଲି କିଛି କର୍ପୋରେଟର ପ୍ରଶ୍ନ ଉଠାଇଥିଲେ।
ତେବେ ଏସବୁ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ମେୟର। କଟକ ମହାନଗର ନିଗମରେ କୌଣସି କ୍ଷେତ୍ରରେ ଅନିୟମିତତା, ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଉ ନାହିଁ, ସବୁ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଉଥିବା ନେଇ ମେୟର ସୁବାଷ ସିଂ କହିଛନ୍ତି।