ଭୁବେନେଶ୍ୱର: ଆଜି ଦ୍ୱିତୀୟ ଦିନରେ କଂଗ୍ରସେ ବିଧାୟକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଧାୟକମାନେ ବିଧାନସଭା ଗୃହ ବର୍ଜନ କରିଛନ୍ତି । ଅନ୍ୟପକ୍ଷରେ ବିଜେଡ଼ି ଆଜି ପୋଲାଭରମ ପ୍ରସଙ୍ଗରେ ସରକାରଙ୍କୁ ଘେରି ନାରାବାଜି କରିଛି ।
ଗୁରୁବାର ଗୃହ ପ୍ରଶ୍ନ କାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ । ଏହା ପରେ ଗତକାଲି ଭଳି କଳାପଟି ବାନ୍ଧି ଏବଂ ହାତରେ ପ୍ଲା କାର୍ଡ ଧରି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଯେପର୍ଯ୍ୟନ୍ତ ତାରାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନ କରାଯାଇଛି । ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ପୋଲାଭରମ ପ୍ରକଳ୍ପ ନେଇ ବିଧାନସଭାରେ ସରକାରଙ୍କୁ ଘେରିଛି ବିଜେଡ଼ି । ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଛନ୍ତି । ସରକାର ପୋଲାଭରମ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ବାଚସ୍ପତି ଗୃହ କାର୍ଯ୍ୟକୁ ସାଢ଼େ ଏଗାରଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ମଙ୍ଗଳାବାର ବିଧାନସଭା ଇତିହାସରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ନାରୀ ହିଂସାକୁ ବିରୋଧ କରି କଂଗ୍ରସେ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ବିଧାୟକ ତାରା ବାହିନୀପତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମାଇକ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏହା ପୂର୍ବରୁ ସେ କାଗଜ ଫିଙ୍ଗି ଥିଲେ । ଏହି ସମୟରେ ବିଜେପି ସଦସ୍ୟମାନେ ତାଙ୍କୁ ବିରୋଧ କରିଥିଲେ । କିଛି ସମୟ ପାଇଁ ଗଣତନ୍ତ୍ର ପବିତ୍ର ମନ୍ଦିର ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା । ତେବେ ଅଶୋଭନୀୟ ଆଚରଣ ପାଇଁ ତାରାଙ୍କୁ ସାତ ଦିନ ପାଇଁ ଗୃହରୁ ନିଲମ୍ବନ କରାଯାଇଛି ।