ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସର୍କିଟ ହାଉସ ଠାରେ ବିଶ୍ଵ ଓଡ଼ିଆ ପରିବାର ପକ୍ଷରୁ ପ୍ରସ୍ତୁତ କାବ୍ୟାଞ୍ଜଳି କଫି ଟେବୁଲ ବୁକର ଅନାବରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପବିତ୍ର ମହାକୁମ୍ଭ ଆଧାରରେ ପ୍ରସ୍ତୁତ ଆଧ୍ୟାତ୍ମିକ କବିତା ସଂକଳନ ବା କଫି ଟେବୁଲ ବୁକ ଓଡ଼ିଆ ସାହିତ୍ୟ ଆକାଶରେ ଏକ ଜାଜୁଲ୍ୟମାନ କୀର୍ତ୍ତି ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଥମେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହା ପରେ ରଥ ଖଳାରେ ପହଞ୍ଚି ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ପରେ ପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସ ଠାରେ ବିଶ୍ଵ ଓଡ଼ିଆ ପରିବାର ପକ୍ଷରୁ ପ୍ରସ୍ତୁତ କାବ୍ୟାଞ୍ଜଳି କଫି ଟେବୁଲ ବୁକର ଅନାବରଣ କରିଥିଲେ । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ କୁମ୍ଭମେଳାରେ ୬୬ କୋଟି ଶ୍ରଦ୍ଧାଳୁ ସ୍ନାନ କରିଥିଲେ । ସେ କୁମ୍ଭମେଳାର ନିଜର ଅନୁଭୂତି ମଧ୍ୟ ବଖାଣିଛନ୍ତି ।
ସେହି ମହାକୁମ୍ଭ ଆଧାରରେ ପ୍ରସ୍ତୁତ ଏହି ଆଧ୍ୟାତ୍ମିକ କବିତାଞ୍ଜଳି କଫି ଟେବୁଲ ବହିଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ରଚିତ, ଯାହା ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ପ୍ରତୀକ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଏହି ପୁସ୍ତକ ଉନ୍ମୋଚନ ଏକ ବଡ଼ ଉପଲବ୍ଧି । ୨୦୩୬ ବିକଶିତ ଓଡିଶା ଓ ୨୦୪୭ ବିକଶିତ ଭାରତ ପାଇଁ ଆମେ ସମସ୍ତେ ସମବଦ୍ଧ ଭାବେ କାର୍ଯ୍ୟ କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ସେହିପକି ଲୋକସଭା ସାଂସଦ ଡା ସମ୍ବିତ ପାତ୍ର କଫି ଟେବୁଲ ବହିକୁ ବିମାନବନ୍ଦରରେ ରଖିବାକୁ ପରାମର୍ଶ ଦେଇଛନ୍ତି । ରଥଯାତ୍ରା ଅବସରରେ ଏହି ଭଳି ପୁସ୍ତକ ପ୍ରକାଶନ ପାଇଁ ଅନୁରୋଧ କରିଥିଲେ ।
ବିଜେପି ନେତା ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।