ଭୁବନେଶ୍ୱର: ଆସନ୍ତା ବଜେଟ୍ ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପ୍ରାକ୍ ବଜେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାର ଦେଢ଼ ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ । ଚଳିତ ବର୍ଷ ୪୦ ନିଯୁକ୍ତି ଦେବାକୁ ସରକାର ସ୍ଥିର କରିଛନ୍ତି ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ୍ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଫେବୃଆରୀ ୧୭ ତାରିଖରେ ଆସିବାକୁ ଥିବା ବଜେଟ୍ ପାଇଁ ଅର୍ଥ ବିଶେଷଜ୍ଞ ଓ ପୂର୍ବତନ ଅର୍ଥମନ୍ତ୍ରୀ ନିଜର ମତାମତ ଦେଇଛନ୍ତି । ସମସ୍ତ ସଦସ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଛନ୍ତି ସେହିପରି ସାଧାରଣ ଜନତା ମଧ୍ୟ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ସୁଚିନ୍ତିତ ମତାମତ ଦେଇପାରିବେ । ଅନଲାଇନ ମାଧ୍ୟମରେ ୬ ହଜାର ରୁ ଅଧିକ ପ୍ରସ୍ତାବ ଆସିବ ବୋଲି ଆକଳନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବଜେଟ୍ ଆସିବ । ବିଶେଷ କରି ଶିଳ୍ପ ଓ ପର୍ଯ୍ୟଟନ ଉପରେ ଅଧିକ ଫୋକସ୍ କରାଯାଇଛି । ଆଇଟି, ପେଟ୍ରୋକେମିକାଲ ଏବଂ ଆଗ୍ରୋ ଇଣ୍ଡଷ୍ଟ୍ରି ଉପରେ ଗୁରୁତ୍ୱ ଦିଆଯାଇଛି । ରାଜସ୍ୱ ବୃଦ୍ଧି ପାଇଁ ଅଧିକ ଧ୍ୟାନ ଦିଆଯାଉଛି । ଓଡିଶା ରେ କିପରି ଆମର ଜିଡିପି ବଢିବ ସେଥିପାଇଁ ଆମେ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛୁ ।
ବିକଶିତ ଗାଁ ବିକଶିତ ଓଡିଶା ଭଳି ଯୋଜନା ଆରମ୍ଭ କରିବାକୁ ଯାଉଛୁ । ଗାଁରେ ଆୟର ସୋର୍ସ ତିଆରି କରିବା ପାଇଁ ସରକାର ଯୋଜନା କରିଛନ୍ତି । ଗାଁ ଲୋକ ଆଉ ସହରକୁ ଆସିବେ ନାହିଁ । ଶ୍ରମିକ, ଚାଷୀ, ନିଯୁକ୍ତି କ୍ଷେତ୍ରରେ ଆଶା ରଖିଥିବା ବେକାର ଯୁବକ, ସରକାରୀ ପଦବୀ ପୂରଣ ଭଳି କ୍ଷେତ୍ର ବଜେଟରେ ପ୍ରତିଫଳିତ ହେବ ।
ତେବେ ସରକାର ଦେଢ଼ ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ । ଚଳିତ ବର୍ଷ ୪୦ ନିଯୁକ୍ତି ଦେବାକୁ ସରକାର ସ୍ଥିର କରିଛନ୍ତି । ୨୦ ହଜାର ନିଯୁକ୍ତି ଦେଇ ସାରିଛୁ । ଚଳିତ ଆର୍ଥିକ ବର୍ଷ ଆହୁରି ୨୦ ହଜାର ନିଯୁକ୍ତି ଦେବୁ । ଆଗକୁ ୨ ବର୍ଷ ମଧ୍ୟରେ ୬୫ ହଜାର ରୁ ଅଧିକ ପଦବୀ ପୂରଣ କରିବୁ । ୨୦୨୫-୨୬ ରେ ଆହୁରି ଅନେକ ଯୋଜନା ସାମିଲ କରିବେ ସରକାର । ତେଣୁ ବଜେଟ ର ଆକାର ବହୁତ ବଢିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆସନ୍ତା ଫେବୃଆରୀ ୧୩ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ । ଏଥିରେ ୨୮ ଦିନ କାର୍ଯ୍ୟଦିବସ ରହିଥିବାବେଳେ ସେଥିରେ ୩ ଦିନ ସରକାରୀ ଓ ୩ ଦିନ ବେସରକାରୀ କାର୍ଯ୍ୟ ଦିବସ ରହିଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୧୭ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଫେବୃଆରୀ ୨୦-୨୧ରେ ବଜେଟ୍ ସମ୍ପର୍କିତ ଆଲୋଚନା ହେବାର ରହିଛି ।