ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ବ୍ଲକ୍ ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ପୃକ୍ତ ବ୍ୟକ୍ତି ନିଶ୍ଚିତଭାବେ ହୀନ ଓ ରୁଗଣ ମାନସିକତା ବ୍ୟକ୍ତି ହୋଇଥିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ କହିଛନ୍ତି, ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତଭାବେ ହୀନ ଓ ରୁଗଣ ମାନସିକତା ବ୍ୟକ୍ତି ହୋଇଥିବ । ମାମଲାରେ ଜଣେ ଗିରଫ ହୋଇଛନ୍ତି ଓ ଏଥିରେ ଷଡ଼ଯନ୍ତ୍ର ଥିଲେ ପର୍ଦ୍ଦାଫାସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀ ମାଝୀ କହିଛନ୍ତି ରାଜ୍ୟରେ ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି । ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରାଯାଇଥିଲା ଏବଂ ଏପ୍ରିଲ ୧୭ରେ ଶ୍ରାଦ୍ଧ ଦିବସ ପାଳନ କରାଯିବ ।
ଏହି ମାମଲାରେ ଯୁଗଳ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ସୂଚନା ଦେଇଛନ୍ତି । ସେ ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ଅଟନ୍ତି । ସେ ପୂର୍ବରୁ ମଧ୍ୟ ଏମିତି କାଣ୍ଡ ଘଟାଇଛନ୍ତି । ମାମଲା ରୁଜୁ କରାଯାଇଥିବା କହିଛନ୍ତି ଆଇଜି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବ୍ରହ୍ମପୁରା ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି ସକାଳୁ ନିଆଁ ଲାଗିଥିବା କିଛି ସ୍ଥାନୀୟ ଲୋକ ଦେଖିଥିଲେ । ପ୍ରତିମୂର୍ତ୍ତିରେ ଘୋଡ଼ା ଯାଇଥିବା ଜରି ପାଲ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ବ୍ରହ୍ମପୁରା ବ୍ଲକ୍ ଛକରେ ପୂର୍ବତନ ବିଜେଡ଼ି ବିଧାୟକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିଥିଲେ । ଏହା ପରେ ପର୍ଶୁରାମ ଛକକୁ ବିଜୁବାବୁଙ୍କ ନାମରେ ନାମିତ କରାଯାଇଥିଲା । କିନ୍ତୁ ଏହାକୁ ବ୍ରାହ୍ମଣ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା । ଫଳରେ ମୂର୍ତ୍ତିକୁ ଜରି ପାଲ ଦ୍ୱାରା ଘୋଡ଼ାଇ ଦିଆଯାଇଥିଲା । ସେବେଠାରୁ ପ୍ରତିମୂର୍ତ୍ତିଟି ଉଦଘାଟନ ହୋଇପାରି ନ ଥିଲା ।