ଭୁବନେଶ୍ୱର: ଆଜି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଦ୍ୟାର୍ଥୀଙ୍କୁ ସମ୍ବୋଧନ କରିଛନ୍ତି । ଏହା ସହିତ ୩୦ଟି ଜିଲ୍ଲାର ୪୪,୭୨୮ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।
ଗୁରୁବାର ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି । ସେମାନେ ସମାଜର ମାର୍ଗଦର୍ଶକ। ଗୁରୁମାନଙ୍କ ହାତରେ ହିଁ ଭବିଷ୍ୟତର ସୁରକ୍ଷା ଦାୟିତ୍ଵ । ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଶିକ୍ଷା ବ୍ୟବସ୍ଥାର ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଜର ଶିକ୍ଷକତା ଜୀବନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଶିକ୍ଷକମାନେ ଯେଉଁ ତ୍ୟାଗ କରନ୍ତି ତାହା ଅମୂଲ୍ୟ। ଛାତ୍ରଛାତ୍ରୀଙ୍କ ସଫଳତାରେ ହିଁ ଶିକ୍ଷକମାନେ ଜୀବନର ସାର୍ଥକତା ଅନୁଭବ କରିଥାନ୍ତି। ସେଥିପାଇଁ ସମସ୍ତେ ଗୁରୁମାନଙ୍କୁ ସମ୍ମାନ ଜଣାଇବା ଆବଶ୍ୟକ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଓଡିଆ ଭାଷାବୃତ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଏବଂ ଦ୍ୱାଦଶ ବୋର୍ଡର ଶ୍ରେଷ୍ଠ ବିଦ୍ୟାର୍ଥୀ ଏବଂ ଉଚ୍ଚ ମାଧ୍ୟମିକ ବୋର୍ଡର ୩୯୧ଜଣ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ବ୍ୟତୀତ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୩୦ଟି ଜିଲ୍ଲାର ୪୪,୭୨୮ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ରାଜ୍ୟସ୍ତରରେ ୨୮୭, ଜିଲ୍ଲାସ୍ତରରେ ୩୧୨୮, ବ୍ଲକସ୍ତରରେ ୩୨,୨୦୮ ଏବଂ ମହାନଗରନିଗମ ସ୍ତରରେ ୧୯୦୩ଜଣ ବିଦ୍ୟାର୍ଥୀଙ୍କୁ “ମେଧାବୀ ବିଦ୍ୟାର୍ଥୀ ପୁରସ୍କାର” ପ୍ରଦାନ କରାଯାଇଛି ।
ସେହିପରି ରାଜ୍ୟର ସର୍ବମୋଟ୍ ୭୧୬୦ଜଣ ବିଦ୍ୟାର୍ଥୀଙ୍କୁ “ଓଡ଼ିଆ ଭାଷା ବୃତ୍ତି” ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଏବଂ ମାଧ୍ୟମିକ ଶିକ୍ଷା ପରିଷଦର ଦ୍ୱାଦଶ ବୋର୍ଡ଼ର ଶ୍ରେଷ୍ଠ ୪୨ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଗୁରୁଦିବସ ଅବସରରେ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ କହିଛନ୍ତି ଯେ ସମ୍ବର୍ଦ୍ଧିତ ହେଉଥିବା ବିଦ୍ୟାର୍ଥୀମାନେ ମନେରଖିବା ଉଚିତ୍ ଯେ ଏହା ସେମାନଙ୍କ ସମ୍ବର୍ଦ୍ଧନା ନୁହେଁ ବରଂ ଏକ ସଂକଳ୍ପ । ସମଗ୍ର ବିଶ୍ୱରେ ଭାରତର ଶିକ୍ଷା ଏବଂ ସଭ୍ୟତାର ସ୍ୱତନ୍ତ୍ର ପରିଚୟ ରହିଛି। ଆଗାମୀ ଦିନରେ ଓଡିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସେ କହିଥିଲେ। ଗୁରୁ ଏବଂ ବିଦ୍ୟାର୍ଥୀମାନଙ୍କର ଅଦମ୍ୟ ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ଓଡ଼ିଶା ଭବିଷ୍ୟତ ପିଢ଼ିମାନଙ୍କୁ ଶ୍ରେଷ୍ଠ କରି ଗଢ଼ିବାରେ ସଫଳ ହୋଇପାରିଛି। ଶିକ୍ଷା ସହ କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶାର ବିଦ୍ୟାର୍ଥୀମାନେ ବିଶ୍ଵରେ ପ୍ରଶଂସିତ ହେଉଛନ୍ତି ବୋଲି ସେ କହିଥିଲେ।