ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ ସବ୍ଇନସ୍ପେକ୍ଟର ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ତାର ପ୍ରାଥମିକ ଚାର୍ଜସିଟ୍ ଦାକଳ କରିଛନ୍ତି । ଚାର୍ଜସିଟରେ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହିତ ଚାର୍ଜସିଟ୍ ଦାଖଲ ହୋଇଛି । ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି, ସିଲିଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡର ସୁରେଶ ନାୟକ, ସୁରେଶଚନ୍ଦ୍ର ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି, ବିଶ୍ୱରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ଏ. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶନୀ ସାମଲ, ବିରଞ୍ଚି ନାୟକ, ନୀତିଶ କୁମାର ଓ ଅମିତ ଭାରତୀ ପ୍ରମୁଖଙ୍କ ନାମ ସାମିଲ ରହିଛି ।
ଡିସେମ୍ବର ୨୯ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ରହିଥିଲା । ସେଥିପାଇଁ ଡିସେମ୍ବର ୨୬ ତାରିଖରେ ସିବିଆଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । ଏହି ମାମଲାରେ ଆହୁରି ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ । ଆଗାମୀ ଦିନରେ ତଦନ୍ତରେ ସ୍ପଷ୍ଟ ହେବ ବୋଲି ସିବିଆଇ କହିଛନ୍ତି । ଚାର୍ଜସିଟରେ ଥିବା ୧୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ ରାଜ୍ୟ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଥିଲା ଏବଂ ୭ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଥିଲା ।
ଓଡିଶା ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ ସି.ଆଇ.ଡିକୁ ଦିଆଯାଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ହୋଇଥିବା ଅନୁସନ୍ଧାନରୁ ଜଣାଯାଇଛି ଯେ ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ । ଏହା ସହିତ ଏହି ଦୁର୍ନୀତିରେ ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଅକ୍ଟୋବର ୨୩ ତାରିଖରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ବା ସିବିଆଇକୁ ଦେବାକୁ ନିଷ୍ପତ୍ତି ନେଇଥିଲେ । ଅକ୍ଟୋବର ୨୭ରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।