ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ଦୁନିଆରେ ନୂଆ ବର୍ଷ ପାଳନ ପାଇଁ ପ୍ରସ୍ତୁତି ଚାଲିଛି । ଲୋକେ ନୂଆ ବର୍ଷକୁ ନେଇ ଯୋଜନା କରୁଛନ୍ତି । ମାତ୍ର ଏସବୁ ମଧ୍ୟରେ ଅଲ ଇଣ୍ଡିଆ ମୁସଲିମ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ମୁଫତି ଶହାବୁଦ୍ଦୀନ ରିଜଭି ବରେଲବି ମୁସଲମାନଙ୍କୁ ନୂଆ ବର୍ଷର ଉତ୍ସବ ପାଳନ ନ କରିବାକୁ ଉପଦେଶ ଦେଇଛନ୍ତି । ସେ କହିଛନ୍ତି, ଏଥିରେ କେବଳ ଅଯଥା ଖର୍ଚ୍ଚ କରାଯାଉଛି । ଇସଲାମରେ ଏହା ଗ୍ରହଣୀୟ ନୁହେଁ । ମୌଲାନାଙ୍କ ଏହି ବୟାନ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି ।
ମୌଲାନା ବରେଲଭି କହିଛନ୍ତି, କିଛି ଲୋକଙ୍କ ଦ୍ୱାରା ନୂଆ ବର୍ଷ ପାଳନ ନେଇ ପ୍ରଶ୍ନ କରାଯାଉଛି । ଏଥିରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ସରିୟତ ଏ ଇସଲାମିଆର ରୋଶନୀରେ ନୂଆ ବର୍ଷର ଉତ୍ସବ ପାଳନ କରିବା ଉଚିତ୍ ନୁହେଁ । ଏହାର କାରଣ ଇସଲାମୀ କ୍ୟାଲେଣ୍ଡର ଅନୁସାରେ ନୂଆ ବର୍ଷ ମହରମ ମାସରୁ ଆରମ୍ଭ ହୋଇଥାଏ । ଆଉ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ନୂଆ ବର୍ଷ ଚୈତ୍ର ମାସରୁ ଆରମ୍ଭ ହୁଏ । ଜାନୁଆରୀ ୧କୁ ନୂଆ ବର୍ଷ ଭାବେ ପାଳନ କରିବା ୟୁରୋପୀୟ ସଂସ୍କୃତି । ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକେ ହିଁ ଉତ୍ସବ ପାଳନ କରନ୍ତି ।
ମୌଲାନା କହିଛନ୍ତି, ଉତ୍ସବ କଣ ହୋଇଥାଏ ? ଡିସେମ୍ବର ୩୧ ରାତିରେ ଧ୍ରୂମପାନ, ହଙ୍ଗାମା, ମଦ୍ୟପାନ, ନାଚଗୀତ ଏସବୁରେ ଅଯଥା ଖର୍ଚ୍ଚ କରାଯାଏ । ସରିୟତ ଏହାର ଅନୁମତି ଦିଏ ନାହିଁ । ଏଥିପାଇଁ ମୁସଲିମ ଯୁବକ ଓ ଯୁବତୀଙ୍କୁ ଅନୁରୋଧ କରୁଛି ଯେ, ସେମାନେ କଦାପି ଏମିତି ଉତ୍ସବ ପାଳନ କରନ୍ତୁ ନାହିଁ । ଯଦି କେଉଁଠୁ ଶୁଣିବୁ ଏମିତି ଉତ୍ସବ ପାଳନ ହେଉଛି ଆମେ ଏହାକୁ ରୋକିବୁ ।
Also read: ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ଦିଲ୍ଲୀ ହାଇକୋର୍ଟର ଆଦେଶ ଉପରେ ଲଗାଇଲେ ରୋକ