ନୂଆଦିଲ୍ଲୀ: ଭାରତର 'ଅପରେସନ ସିନ୍ଦୂର' ସମୟରେ ଜୀବନ ବିକଳରେ ବଙ୍କରରେ ଲୁଚିଥିଲେ ପାକିସ୍ତାନ ସେନା ସମେତ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ। କାରଣ ସେମାନଙ୍କ ପାଖରେ ଆଉ କିଛି ବାଟ ନଥିଲା। ସେନାଠୁ ଆରମ୍ଭ କରି ନେତା ଯାଏଁ ସମସ୍ତେ ବଙ୍କରରେ ଲୁଚିବାକୁ ବାଧ୍ୟ ହୋଇଥିଲେ। ଏ ନେଇ ବଡ଼ ସ୍ୱୀକାରୋକ୍ତି କରିଛନ୍ତି ନିଜେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ।
ଜର୍ଦାରି କହିଛନ୍ତି ଯେ, ଭାରତର ‘ଅପରେସନ୍ ସିନ୍ଦୂର’ ସମୟରେ ପୂରା ଦେଶରେ ଭୟର ବାତାବରଣ ଲାଗି ରହିଥିଲା ଏବଂ ତାଙ୍କ ସାମରିକ ସଚିବ ତାଙ୍କୁ ତୁରନ୍ତ ବଙ୍କରକୁ ଯିବାକୁ ପରାମର୍ଶ ଦେଇଥିଲେ। କ୍ଷମତାରେ ଥିବା ନେତାମାନଙ୍କୁ ବଙ୍କରରେ ରହିବା ପାଇଁ କୁହାଯାଇଥିଲା, କିନ୍ତୁ ମୁଁ ମନା କରିଥିଲି ବୋଲି ଜର୍ଦାରୀ କହିଛନ୍ତି। ‘ଯଦି ସହିଦ ହେବାକୁ ହେବ ତେବେ ଏଠି ହିଁ ହେବ ନେତାମାନେ ବଙ୍କରରେ ମରନ୍ତି ନାହିଁ, ଯୁଦ୍ଧକ୍ଷେତ୍ରରେ ମରନ୍ତି ବୋଲି ମୁଁ କହିଥିଲି’ ବୋଲି ଏକ ସାକ୍ଷାତକାରରେ ପାକ୍ ରାଷ୍ଟ୍ରପତି କହିଛନ୍ତି।
ଜର୍ଦାରୀ ଦାବି କରିଛନ୍ତି ଯେ ଭାରତର ଆକ୍ରମଣ ଆରମ୍ଭ ହେବାର ୪ ଦିନ ପୂର୍ବରୁ ତାଙ୍କୁ ଏହାର ସୂଚନା ମିଳିଥିଲା। ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ମେ ୭ ତାରିଖରେ ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଆକ୍ରମଣରେ ପିଓକେରେ ୯ଟି ଆତଙ୍କବାଦୀ କ୍ୟାମ୍ପ ଧ୍ବଂସ ହୋଇଥିଲା ଏବଂ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।
ପାକିସ୍ତାନର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣକୁ ଭାରତ ପଣ୍ଡ କରିବା ସହ ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା। ମେ ୧୦ରେ ଯୁଦ୍ଧବିରତି ଘୋଷଣା ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ ମଧ୍ୟସ୍ଥତା ଦାବି କରିଥିବା ବେଳେ ଏହାକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିଛି। ତେବେ ମଧ୍ୟସ୍ଥତାକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ ଥିବା ବେଳେ ଆଜି ଜର୍ଦାରୀଙ୍କ ବୟାନ ଅପରେସନ୍ ସିନ୍ଦୂରର ପ୍ରଭାବକୁ ପୁଣିଥରେ ପ୍ରମାଣିତ କରିଛି ଏବଂ ପାକିସ୍ତାନରେ ରାଜନୈତିକ ବିବାଦ ସୃଷ୍ଟି କରିଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସମସ୍ତ କୂଟନୈତିକ ସମ୍ପର୍କ ସମାପ୍ତ କରିଦେଇଥିଲା। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପରେ, ପାକିସ୍ତାନ ଏହାକୁ ପୁନଃସ୍ଥାପନ କରିବାକୁ ଗୁହାରି କରି ଭାରତ ସରକାରଙ୍କୁ ଅନେକ ଚିଠି ଲେଖିଛି।
ଅଧିକ ପଢନ୍ତୁ: ବାଂଲାଦେଶରେ ସଙ୍ଗୀତ କାର୍ଯ୍ୟକ୍ରମରେ ହିଂସା, ଭାରତ ଆସିବାକୁ ଗୁହାରୀ କଲେ ହିନ୍ଦୁ