ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା ଥମିବାରେ ନାଁ ଧରୁନାହିଁ । ପ୍ରତିଦିନ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସୁଛି । ହିଂସା ଯୋଗୁଁ ପ୍ରସିଦ୍ଧ ଗାୟକ ଜେମ୍ସଙ୍କ ଏକ କନସର୍ଟ ବାତିଲ କରାଯାଇଛି । ଢାକାରୁ ୧୨୦ କିଲୋମିଟର ଦୂର ଫରିଦପୁରରେ ଗାୟକ ଜେମ୍ସଙ୍କର ଏକ ସଙ୍ଗୀତ କାର୍ଯ୍ୟକ୍ରମ ହେବାର ଥିଲା । କିନ୍ତୁ, କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣ ପରେ ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଛି।
ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ବାଂଲାଦେଶର ଏକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ପାଇଁ ଶୁକ୍ରବାର ରାତି ପ୍ରାୟ ୯ଟାରେ ଏକ କନସର୍ଟ ଆୟୋଜନ କରାଯାଇଥିଲା । ମାତ୍ର ସେଠାରେ ମଧ୍ୟ ବିକ୍ଷୋଭକାରୀ ପହଁଚି ତୁମୁଳକାଣ୍ଡ ଘଟାଇଛନ୍ତି । କାର୍ଯ୍ୟକ୍ରମ ଭିତରକୁ ଧସେଇ ପଶିବା ସହିତ ଉପସ୍ଥିତ ଲୋକଙ୍କ ଉପରେ ଇଟା ଏବଂ ପଥର ଫିଙ୍ଗିବାକୁ ଆରମ୍ଭ କରିଥିଲେ। ଅନେକ ଛାତ୍ର ଆକ୍ରମଣର ପ୍ରତିବାଦ କରିଥିଲେ, କିନ୍ତୁ ପରେ କନସର୍ଟ ବାତିଲ କରାଯାଇଥିଲା।
ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନସରିନ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, "ସାଂସ୍କୃତିକ କେନ୍ଦ୍ର ଛାୟାନୌତ ପାଉଁଶ ହୋଇଯାଇଛି। ଆକ୍ରମଣକାରୀମାନେ ସଂଗୀତ, ନୃତ୍ୟ, କବିତା ଏବଂ ଲୋକ ସଂସ୍କୃତିକୁ ପ୍ରୋତ୍ସାହିତ କରୁଥିବା ସଂଗଠନ ଉଦିଚିକୁ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଆତଙ୍କବାଦୀମାନେ ପ୍ରସିଦ୍ଧ ଗାୟକ ଜେମ୍ସଙ୍କୁ ମଧ୍ୟ ପ୍ରଦର୍ଶନ କରିବାରୁ ବାରଣ କରିଥିଲେ।"
ସେପଟେ ଦିପୁ ଚନ୍ଦ୍ର ଦାସ ଏବଂ ଅମୁତ ମଣ୍ଡଳଙ୍କ ଉପରେ ହୋଇଥିବା ହିଂସା ପରେ ସେଠାରେ ଅଳ୍ପ ସଂଖ୍ୟକ ହିନ୍ଦୁ ଏବେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଭାରତକୁ ସାହାଯ୍ୟ ପାଇଁ ଗୁହାରୀ କରିବା ବ୍ୟତୀତ ସେମାନଙ୍କ ପାଖରେ ଆଉ କୌଣସି ରାସ୍ତା ନାହିଁ ବୋଲି କହିଛନ୍ତି । ଏହି ଡର ଆହୁରି ଦ୍ୱିଗୁଣିତ ହୋଇଥିଲା ଯେତେବେଳେ ଗୁରୁବାର ତାରିଖ ରେହମାନ ବାଂଲାଦେଶରେ ପହଁଚିଥିଲା । କାରଣ ତାରିଖ ରେହମାନ ଜଣେ କଠୋରପନ୍ଥୀ ନେତା ଅଟନ୍ତି ।