ନୂଆଦିଲ୍ଲୀ: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର କାର୍ଯ୍ୟକାରୀ ସଭାପତି ତାରିକ ରେହମାନ ଆଜି ୧୭ ବର୍ଷର ଲମ୍ବା ନିର୍ବାସନ ପରେ ବାଂଲାଦେଶ ଫେରିଛନ୍ତି । ବାଂଲାଦେଶ ଏୟାରଲାଇନ୍ସର ବିମାନରେ ସେ ସିଲହଟର ଉସ୍ମାନି ଅନ୍ତର୍ଜାତୀୟ ବିମାନ ବନ୍ଦର ଦେଇ ଢାକା ଫେରିଛନ୍ତି । ବିମାନ ସକାଳ ପ୍ରାୟ ୯ଟା ୫୮ରେ ଢାକା ପହଞ୍ଚିଛି । ତାରିକଙ୍କ ପ୍ରତ୍ୟାବର୍ତ୍ତନକୁୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତାଙ୍କର ଆଗମନ ପାଇଁ ଏକ ବୁଲେଟପ୍ରୁଫ ଗାଡି ପୂର୍ବରୁ ହିଁ ବିମାନ ବନ୍ଦରରେ ପହଞ୍ଚିଥିଲା । ଏହି ଗାଡିରେ ରେହମାନ ବିମାନ ବନ୍ଦରରୁ ବିଭିନ୍ନ କାର୍ଯ୍ୟକ୍ରମକୁ ଯିବେ ।
ବେସାମରିକ ବିମାନ ପ୍ରାଧିକରଣ ସୁରକ୍ଷା କାରଣରୁ ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତ୍ରୀଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛି । ବିମାନ ବନ୍ଦର ପରିସର ଓ ଆଖପାଖ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି । ଏପରିକି ସ୍ୱାଟ ଟିମ୍ ମଧ୍ୟ ଆଲର୍ଟ ମୋଡରେ ରହିଛି ।
କିଏ ଏହି ତାରିକ ରେହମାନ ?
ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦ ଜିୟାଙ୍କ ପୁଅ ତାରିକ ରେହମାନ ଆଗାମୀ ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର । ବିଏନପିର ମୁଖପାତ୍ର ରୁହୁଲ କବୀର ରିଜଭି ଜିୟାଙ୍କ ବଡ ପୁଅ ରେହମାନଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ କହିଛନ୍ତି ଯେ, ଏହା ବାଂଲାଦେଶ ପାଇଁ ଏକ ନିର୍ଣ୍ଣାୟକ ରାଜନୈତିକ କ୍ଷଣ । ତାଙ୍କ ପିତା ଜିୟାଉର ରେହମାନ ସୈନ୍ୟ ଶାସକର ନେତା ଥିଲେ । ଜିୟାଉର ବିଏନପି ସ୍ଥାପନା କରିଥିଲେ । ସେ ୧୯୭୭ରୁ ୧୯୮୧ ପର୍ଯ୍ୟନ୍ତ ବାଂଲାଦେଶର ରାଷ୍ଟ୍ରପତି ଥିଲେ । କିନ୍ତୁ ତାଙ୍କୁ ପରେ ହତ୍ୟା କରାଯାଇଥିଲା ।
ଉଲ୍ଲେଖନୀୟ ତାରିକ ରେହମାନ ବୁଧବାର ରାତି ୯ଟା ୩୦ରେ ଲଣ୍ଡନର ହିଥ୍ରୋ ଏୟାରପୋର୍ଟ ପହଞ୍ଚିଥିଲେ । ଏହି ସମୟରେ ସେ ୟୁକେ ବିଏନପିର ନେତା ଏବଂ କାର୍ଯ୍ୟକର୍ତ୍ତା ତାଙ୍କୁ ବିଦାୟ ଦେବା ପାଇଁ ଏୟାରପୋର୍ଟରେ ଥିଲେ । ସମସ୍ତ ଔପଚାରିକତା ପୂରା ହେବା ପରେ ବିମାନ ରାତି ୧୨ଟା ୩୦ରେ ଢାକା ଅଭିମୁଖେ ଉଡାଣ ଭରିଥିଲା । ଏହି ଯାତ୍ରାରେ ତାରିକ ରେହମାନ ନିଜର ପତ୍ନୀ ଡ. ଜୁବୈଦା ରେହମାନ ଏବଂ ପୁଅ ବେରେଷ୍ଟ ଜାଇମା ରେହମାନଙ୍କ ସହିତ ବାଂଲାଦେଶରେ ପହଞ୍ଚିଛନ୍ତି । ପାର୍ଟିର ପ୍ରାୟ ୫୦ ନେତା ଓ କାର୍ଯ୍ୟକର୍ତ୍ତା ମଧ୍ୟ ଏହି ବିମାନରେ ତାଙ୍କ ସହ ବାଂଲାଦେଶ ଫେରିଛନ୍ତି ।
Also read: ନୂଆବର୍ଷରେ ଭାରତୀୟ ସେନା ପାଇଁ ଖୁସି ଖବର; ୫ ବର୍ଷ ପରେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ