ନୂଆଦିଲ୍ଲୀ: କାନାଡାର ଟୋରୋଣ୍ଟୋ ସହରରେ ୟୁନିଭର୍ସିଟି ଅଫ ଟୋରୋଣ୍ଟୋ ସ୍କୋରବୋରୋ ପରିସର ନିିଟରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ଭାରତୀୟ ଛାତ୍ର ଶିବାଙ୍କ ଅବସ୍ଥିଙ୍କ ମୃତ୍ୟୁ ଘଟିଛି । ଟୋରୋଣ୍ଟୋରେ ଭାରତୀୟ ନାଗରିକଙ୍କ ସହ ଜଡିତ ଏହା ଦ୍ୱିତୀୟ ହିଂସାତ୍ମକ ଘଟଣା । ଏହା ପୂର୍ବରୁ ନିକଟରେ ୩୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ମହିଳା ହିମାଂଶୀ ଖୁରାନାଙ୍କ ମଧ୍ୟ ହତ୍ୟା ହୋଇଥିଲା । ତେବେ ଶିବାଙ୍କଙ୍କ ହତ୍ୟା ମାମଲାରେ ପୋଲିସ ଟୋରୋଣ୍ଟ ନିବାସୀ ଅବଦୁଲ ଗଫୁରୀଙ୍କ ସନ୍ଧାନରେ ଅଛି । ତାଙ୍କ ମୃତ୍ୟୁରେ ଟୋରୋଣ୍ଟୋ ସ୍ଥିତ ଭାରତୀୟ ମହାବାଣିଜ୍ୟିକ ଦୂତାବାସ ଗଭୀର ଶୋକ ବ୍ୟକ୍ତ କରିଛି । ଶିବାଙ୍କ ଭାରତରୁ ଆସି ଏଠାରେ ପିଏଚଡି କରୁଥିଲେ । ଭାରତୀୟ ଦୂତାବାସ ଏକ୍ସରେ ବୟାନ ଜାରି କରି ଶୋକ ବ୍ୟକ୍ତ କରିଛି ।
ଦୂତାବାସ କହିଛି ଯେ, ୟୁନିଭର୍ସିଟି ଅଫ ଟୋରୋଣ୍ଟୋ ସ୍କାରବୋରୋ ପରିସର ନିକଟରେ ଘଟିଥିବା ଗୁଳିକାଣ୍ଡରେ ଯୁବ ଭାରତୀୟ ଡକ୍ଟରୋଲ ଛାତ୍ର ଶିବାଙ୍କ ଅବସ୍ଥିଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁରେ ଆମକୁ ଗଭୀର ଆଘାତ ଲାଗିଛି । ଏହି କଠିନ ସମୟରେ ବାଣିଜ୍ୟିକ ଦୂତାବାସ ଶୋକାକୂଳ ପରବାରଙ୍କ ଯୋଗାଯୋଗରେ ଅଛନ୍ତି । ସ୍ଥାନୀୟ ଅଧିକାରୀଙ୍କ ସହିତ ସମନ୍ୱୟରେ ଯଥା ସମ୍ଭବ ସହାୟତା ପ୍ରଦାନ କରାଯାଉଛି ।
ପୋଲିସ ଅନୁସାରେ, ଶିବାଙ୍କ ଅବସ୍ଥିଙ୍କୁ ମଙ୍ଗଳବାର ହାଇଲ୍ୟାଣ୍ଡ କ୍ରିକ ଟ୍ରେଲ ଓ ଓଲ୍ଡ କିଙ୍ଗଷ୍ଟନ ରୋଡ ଅଞ୍ଚଳରେ ଗୁଳି ମରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲା । ଆଉ ଘଟଣାସ୍ଥଳରେ ହିଁ ଶିବାଙ୍କଙ୍କୁ ମୃତ ଘୋଷଣା କରାଯାଇଥିଲା । ଆକ୍ରମଣକାରୀ ପୋଲିସ ପହଞ୍ଚିବା ପୂର୍ବରୁ ଫେରାର ହୋଇ ସାରିଥିଲା । ଘଟଣା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ୱ ବିଦ୍ୟାଳୟ ପରିସରକୁ କିଛି ସମୟ ପାଇଁ ଲକଡାଉନ କରାଯାଇଛି ।
ଚଳିତ ବର୍ଷ ଟୋରୋଣ୍ଟରେ ଏହା ହେଉଛି ୪୧ତମ ହତ୍ୟା । ଶିବାଙ୍କ ଅବସ୍ଥି ୟୁନିଭର୍ସିଟି ଅଫ ଟୋରୋଣ୍ଟୋ ସ୍କାରବୋରୋର ଚିୟରଲିଣ୍ଡିଂ ଟିମର ମଧ୍ୟ ସଦସ୍ୟ ଥିଲେ । ତାଙ୍କ ହତ୍ୟାକୁ ନେଇ ଛାତ୍ରଙ୍କ ମଧ୍ୟରେ ଭୟ ଓ ଆକ୍ରୋଶର ମାହୋଲ ରହିଛି ।