ଭୁୁବନେଶ୍ୱର: ଦିବଙ୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଥମିବାର ନାଁ ନେଉନି । ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ଏହାକୁ ନେଇ ଏବେ ବି ଲୋକଙ୍କ ମନରେ ପ୍ରଶ୍ନ ରହିଛି । ବିଶେଷ କରି ମ୍ୟାନେଜର ଥିବା ଦିନେଶ ବେହେରା ଓ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କୁ ଅଧିକ ଦାୟୀ କରାଯାଉଛି । ଏହା ମଧ୍ୟରେ ହ୍ୟୁମାନଙ୍କ ମାଆ ଶେଫାଳି ସୁନା ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେ କହିଛନ୍ତି ପୁଅର ଲିଭର ସିରୋସିସ ହୋଇଥିବା ଏତେ ବଡ ରୋଗ କଥାକୁ ଲୁଚାଇଥିଲା ଦିନେଶ । ସେ କେବେ ବି ଏ ବିଷୟରେ ମୋତେ କହି ନ ଥିଲା ।
ମାଆ ଶେଫାଳି ସୁନା କହିଛନ୍ତି, ହ୍ୟୁମାନର ଚିକିତ୍ସା ପାଇଁ ମୁଁ ତାକୁ ଭେଲୋର ନେବାକୁ କହିଥିଲି । ହେଲେ ଦିନେଶ ଜମା କଥା ଶୁଣି ନ ଥିଲା । ଭାଇର କିଛି ହୋଇନି, ଏଠି ଭଲ ଚିକିତ୍ସା ଚାଲିଛି ଏବଂ ସେ ଶୀଘ୍ର ଭଲ ହୋଇଯିବ ବୋଲି ଦିନେଶ କହି ଚାଲିଲା । ଆଉ ହ୍ୟୁମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭେଲୋର ନେବାକୁ ଦେଲାନି । ସମୟ କ୍ରମରେ ଧିରେ ଧିରେ ରୋଗ ବଢି ଚାଲିଲା । ଶେଷରେ ହ୍ୟୁମାନ ଆମକୁ ଛାଡି ଚାଲିଗଲା ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ ।
ଅର୍ପିତା ଚୌଧୁରୀଙ୍କୁ ନେଇ ମଧ୍ୟ ସେ ବଡ କଥା କହିଛନ୍ତି । ଶେଫାଳି ସୁନା କହିଛନ୍ତି, ଅର୍ପିତା ଚୌଧୁରୀ ବିଭିନ୍ନ ସମୟରେ ରାତି ଅଧରେ ହ୍ୟୁମାନ ପାଖକୁ ଆସୁଥିଲା । ସାଗର ସଙ୍ଗମ ଲାଇଭ ଗ୍ରୁପର ମାଲିକ ଏମଡି ଆବିଦ ଅର୍ପିତାକୁ ନେଇ ଆସୁଥିଲେ । ଦୀର୍ଘ ସମୟ ଘରେ ରହୁଥିଲେ. ମୁଁ ଏହାକୁ ବିରୋଧ କରିବାରୁ ଆବିଦ ମୋତେ ଗାଳିଗୁଲଜ କରିଥିଲା ବୋଲି ଶେଫାଳି ସୁନା କହିଛନ୍ତି ।
ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ଶେଫାଳି ସୁନା କଟକ ମର୍ଗତ ନଗର ଥାନାରେ ୯ ଜଣଙ୍କ ନାଁ ଏତଲା ଦେଇଛନ୍ତି । ସମସ୍ତଙ୍କୁ ଥାନାକୁ ଡକାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଏହା ପରେ ଅଭିଯୁକ୍ତମାନଙ୍କ ଚିନ୍ତା ବଢି ଯାଇଛି । ନିଜକୁ ବଞ୍ଚାଇବା ପାଇଁ ନାନା ପ୍ରକାରର ଫନ୍ଦି ଫିକର ଆରମ୍ଭ କରି ଦେଇଛନ୍ତି । ହ୍ୟୁମାନଙ୍କ ମୃତ୍ୟୁ ପରଠୁ ଆଦୌ ଦେଖା ନ ଥିବା ଆବିଦ ଆସି ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି ।
Also read: ସାରା ରାଜ୍ୟରେ ଶୀତର ପ୍ରକୋପ: ଏହି ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ