ଭୁବନେଶ୍ୱର: ଓଡ଼ିଶାର ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ପ୍ରଦୂଷଣ ମାମଲାରେ ଓଡ଼ିଶାର କିଛି ସହର ଏବେ ଦେଶର ରାଜଧାନୀ ଦିଲ୍ଲୀକୁ ମଧ୍ୟ ପଛରେ ପକାଇ ଦେଇଛି। କାରଣ ଆଜି (ଗୁରୁବାର) ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଦିଲ୍ଲୀକୁ ଟପି ଦେଶର ସବୁଠାରୁ ପ୍ରଦୂଷିତ ରାଜ୍ୟ ହୋଇଛି ଓଡ଼ିଶା। ସକାଳ ୧୧ ଟା ସୁଦ୍ଧା, ରାଜ୍ୟର ତିନୋଟି ସହର ଦେଶର ପାଞ୍ଚଟି ସର୍ବାଧିକ ପ୍ରଦୂଷିତ ସହରାଞ୍ଚଳ କେନ୍ଦ୍ର ମଧ୍ୟରେ ସ୍ଥାନ ପାଇଛି।
ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ୩୩୬ AQI ସହ ଓଡ଼ିଶାର ବାଲେଶ୍ଵର ଆଜି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ ସହର ତାଳଚେର, ଯେଉଁଠାରେ AQI ୩୨୪ ରହିଛି। ସେହିପରି ୩୦୪ AQI ସହ ବାରିପଦା ସହର ଦେଶର ପଞ୍ଚମ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି। ରାଜ୍ୟର ଏହି ତିନୋଟି ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ରହିଛି, ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ।
ସେହିପରି ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ AQI ଅତି ଖରାପ ସ୍ତରରେ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ AQI ୨୩୯ ଥିଲାବେଳେ କଟକରେ AQI ୨୬୨ ରହିଛି। ଯଦି ଦିଲ୍ଲୀ ପ୍ରଦୂଷଣ କଥା ଦେଖିବା ତାହେଲେ ସେଠାରେ ଏକ୍ୟୁଆଇ ୨୧୮ ରହିଛି। ତେବେ ଜାତୀୟ ରାଜଧାନୀ ଠାରୁ ଓଡ଼ିଶାର କିଛି ସହରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଏକ ପ୍ରକାର ଚିନ୍ତାର କାରଣ ସାଜିଛି।
ଅଧିକ ପଢନ୍ତୁ: ଦିଲ୍ଲୀରେ ପ୍ରଦୂଷଣ ଜାରି; ୭୦% ଅଞ୍ଚଳରେ 'ଗମ୍ଭୀର' ସ୍ତରରେ AQI