ଭୁବନେଶ୍ୱର: ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ରହିଛି ୧୫୮୬ କିଲୋଗ୍ରାମ ସୁନା। ଏନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ରାଜ୍ୟ ସରକାର ଏହି ୩ଟି ସୁନା ଖଣିକୁ ନିଲାମ କରିବେ। ଏବେ ନିଲାମ ପ୍ରକ୍ରିୟା ଚାଲିଛି। ଏ ନେଇ ଆସନ୍ତା ୩ ତାରିଖରେ ଏକ ବୈଠକ ବସିବ। ନିଲାମ କିପରି ଠିକ୍ ଭାବେ ହେବ ସେନେଇ ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ (ଜିଏସଆଇ) ସଂସ୍ଥା ରାଜ୍ୟର କେତେକ ସ୍ଥାନରେ ସୁନା ଖଣି ରହିଥିବା ଚିହ୍ନଟ କରିଛି। ସେସବୁକୁ ୨୦୨୬ ସୁଦ୍ଧା ନିଲାମ କରିବାକୁ ସରକାର ଯୋଜନା ରଖିଛନ୍ତି। ଆସନ୍ତା ୩ ତାରିଖରେ ଏନେଇ ବୈଠକ ବସିବ। ରାଜ୍ୟର ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯିବ। ପ୍ରସ୍ତାବିତ ଖଣି ବ୍ଲକ୍ମାନଙ୍କର ଉପଯୁକ୍ତତା, ଅନୁସନ୍ଧାନର ସ୍ଥିତି, ନିଲାମ ପାଇଁ ପ୍ରସ୍ତୁତି ଯାଞ୍ଚ ସହ ବୈଠକରେ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରାଯିବ। ଏଥିସହ ମୟୂରଭଞ୍ଜ ଏବଂ ଦେବଗଡ଼ ଜିଲ୍ଲାରେ ପ୍ରସ୍ତାବିତ ସୁନା ଖଣି ନିଲାମ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।
ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ଓଏମ୍ସି ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର, ଓଡ଼ିଶାର ଖଣି ନିର୍ଦ୍ଦେଶକ, ଓଡ଼ିଶାର ଡେପୁଟି ଡାଇରେକ୍ଟର ଜେନେରାଲ୍ ଜିଏସ୍ଟି, ଏମ୍ଇସିଏଲ୍ର ଚେୟାରମ୍ୟାନ୍-କମ୍-ମ୍ୟାନେଜିଂ ଡାଇରେକ୍ଟର ଏବଂ ଆଇବିଏମ୍ର ରିଜିଓନାଲ୍ କଣ୍ଟ୍ରୋଲର ଅଫ୍ ମାଇନ୍ସଙ୍କୁ ପୂର୍ଣ୍ଣାଙ୍ଗ ତଥ୍ୟ ସହିତ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢନ୍ତୁ: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ୍ ଅନୁ ଗର୍ଗ