ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରେ ବଡ଼ ମାଓ ବିରୋଧୀ ଅପରେସନ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ କୁଖ୍ୟାତ ମାଓବାଦୀ। ଏନ୍କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ଜଣ ନିହତ ହୋଇଛନ୍ତି। ସେଣ୍ଟ୍ରାଲ କମିଟି ମେମ୍ବର ୬୯ ବର୍ଷୀୟ ଗଣେଶ ଉଇକେ ନିହତ ହୋଇଥିବା ସୂଚନା ମଳିଛି। ଗଣେଶ ନାଁରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି। ତେଲେଙ୍ଗାନା ନାଲଗୋଣ୍ଡାର ଗଣେଶ ଓଡ଼ିଶାରେ ମାଓ କାର୍ଯ୍ୟକଳାପର ନେତୃତ୍ବ ନେଉଥିଲା।
SOG, CRPF, BSF ଯବାନଙ୍କ ୨୩ଟି ଟିମ୍ ପକ୍ଷରୁ ଏହି ମିଳିତ ଏନ୍କାଉଣ୍ଟର କରାଯାଇଛି। ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ୨ଟି ଇନସାସ୍ ରାଇଫଲ୍ ସହ ଗୋଟିଏ ୩୦୩ ରାଇଫଲ୍ ଜବତ କରାଯାଇଛି। ଟପ୍ ମାଓନେତା ଗଣେଶଙ୍କ ନିହତକୁ ବଡ ସଫଳତା ବୋଲି କହିଛନ୍ତି ପୁଲିସ ଡିଜି ୱାଇ ବି ଖୁରାନିଆ। ସେ କହିଛନ୍ତି ଯେ ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି।
ଗଣେଶଙ୍କ ସମେତ ୪ ନକ୍ସଲ ନିହତ ହୋଇଛନ୍ତି, ଯାହା ଏକ ବଡ ସଫଳତା। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କ ମୂଳପୋଛ ଲକ୍ଷ୍ୟ ବୋଲି ଡିଜିପି କହିଛନ୍ତି। ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଆମ ରାଜ୍ୟର ପଲିସି ସବୁଠୁ ଶ୍ରେଷ୍ଠ ବୋଲି କହିଛନ୍ତି ଡିଜିପି। ଏଥିସହ ମାଓବାଦୀ ହିଂସାପଥ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।
ଅଧିକ ପଢନ୍ତୁ: ନୂଆବର୍ଷରେ ଭାରତୀୟ ସେନା ପାଇଁ ଖୁସି ଖବର; ୫ ବର୍ଷ ପରେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ