ଭୁବନେଶ୍ୱର: ଆଜି ହେଉଛି ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ । ୧୯୨୪ ମସିହା ଆଜିର ଦିନରେ ମଧ୍ୟ ପ୍ରଦେଶର ଗ୍ୱାଲିଅରରେ ଜନ୍ମ ଗ୍ରହଣ କରିଥିଲେ ବାଜପେୟୀ । ସେ ଅନେକ ଗୁଣର ଅଧିକାରୀ । ଏକାଧାରାରେ ସେ ଜଣେ କବି, ଲେଖକ ଏବଂ ରାଷ୍ଟ୍ର ନେତା । ତାଙ୍କର ଗୋଟିଏ କବିତାରେ ଗୁଞ୍ଜରିତ ହୋଇ ଉଠୁଥିଲା ଦେଶର ସଂସଦ ଭବନ ।
ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ସୁଶାସନ ଦିବସ ପାଳନ କରାଯାଉଛି । ବାଜପେୟୀ ଦେଶର ବିକାଶର ମୂଳ ଦୂଆ ସ୍ଥାପନ କରିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶ ପାଇଁ ତାଙ୍କର ଅନେକ ଅବଦାନ ରହିଛି । ସେ ଛାତ୍ର ଜୀବନରୁ ସେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ସହିତ ଜଡ଼ିତ ଥିଲେ । କଲେଜରେ ପଢ଼ୁଥିବାବେଳେ ରାଜନୀତିରେ ପାଦ ଥାପିଥିଲେ । ୧୯୪୨ ମସିହାର ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ୧୯୫୭ରୁ ୨୦୦୯ ମଧ୍ୟରେ ସେ ଲୋକସଭାକୁ ନଅ ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ, ଯାହାକି ଏକ ରେକର୍ଡ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ତିନିଥର ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ରୁ୨୦୦୪ ପୁରା ୫ ବର୍ଷ ପ୍ରଧାନମନ୍ତ୍ରୀ ରହିଛନ୍ତି ।
ସେ ଦୀର୍ଘବର୍ଷ ଧରି ରାଷ୍ଟ୍ରଧର୍ମ, ପଞ୍ଚଜନ୍ୟ, ବୀରଅର୍ଜୁନ ଆଦି ରାଷ୍ଟ୍ରୀୟ ଭାବନାରେ ଜଡ଼ିତ ପତ୍ର-ପତ୍ରିକାର ସଂପାଦନା କରିଥିଲେ । ତାଙ୍କର ପ୍ରଥମ କବିତା ଥିଲା ତାଜମହଲ । ତାଙ୍କର କବିତା ସଂକଳନ " ମେରି ଇକ୍ୟାବନ କବିତାୟେଁ' । ଯାହାକି ପାଠକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛି ।
ଦେଶପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ୨୦୧୪ ଡିସେମ୍ବର ୨୫ରେ ତାଙ୍କ ୯୦ତମ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରିବା ପାଇଁ ସରକାର ଘୋଷଣା କରିଥିଲେ । ବାଜପେୟୀଙ୍କ ସମ୍ମାନରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନବନିର୍ମିତ କ୍ରିକେଟ ଷ୍ଟାଡିୟମକୁ ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ’ ନାମରେ ନାମକରଣ କରାଯାଇଛି ।
୨୦୧୪ରେ ବାଜପେୟୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ସମ୍ମାନ ପ୍ରଦାନ କରିଥିଲେ । ଭାରତ ପ୍ରତି ତାଙ୍କର ନିଃସ୍ୱାର୍ଥପର ନିଷ୍ଠା ଓ ଶ୍ରଦ୍ଧା ଏବଂ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ସମାଜ ଓ ରାଷ୍ଟ୍ର ପ୍ରତି ତାଙ୍କର ସେବାକୁ ସ୍ୱୀକୃତି ପ୍ରଦାନ ପୂର୍ବକ ଶ୍ରୀ ବାଜପେୟୀଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି । ୧୯୯୪ ମସିହାରେ ଶ୍ରୀ ବାଜପେୟୀଙ୍କୁ ଭାରତର ଶ୍ରେଷ୍ଠ ସାଂସଦ ଭାବେ ବିବେଚନା କରାଯାଇଥିଲା ।