ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଆଜି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ""ଜାତୀୟ ପ୍ରେରଣା ସ୍ଥଳ"କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଗୁରୁବାର ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଏହାକୁ ଲୋକର୍ପିତ କରିବେ ।
ଏହି ପ୍ରେରଣା ସ୍ଥଳରେ ଭାରତ ତିନି ସୁଯୋଗ୍ୟ ସନ୍ତାନ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଇଛି । ଏହି ତିନି ପ୍ରମୁଖ ବ୍ୟକ୍ତିଙ୍କ ଚିନ୍ତାଧାରା, ଆଦର୍ଶ ଏବଂ ଅମୂଲ୍ୟ ଅବଦାନକୁ ଭବିଷ୍ୟତ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ୬୫ ଏକର ପରିସର ଜମି ଉପରେ ତିନି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ୬୫ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଯାହା ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଅବଦାନର ପ୍ରତୀକ ଅଟେ ।
ଏକ ଆଧୁନିକ ପଦ୍ମ ଆକୃତିର ସଂଗ୍ରହାଳୟ, ଏକ ଧ୍ୟାନ କେନ୍ଦ୍ର ଏବଂ ଏକ ପ୍ରଶସ୍ତ ସାଧାରଣ ସଭା ସ୍ଥାନ ମଧ୍ୟ ରହିଛି । ପ୍ରାୟ ୨୩୦ କୋଟି ବ୍ୟୟରେ ନିର୍ମିତ ଏହି ସ୍ମାରକୀ କେବଳ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ସୁଶାସନ ଏବଂ ଜାତୀୟ ସେବାର ଆଦର୍ଶକୁ ଜୀବନ୍ତ ରଖିବା ପାଇଁ ଏକ ପ୍ରେରଣାଦାୟକ ପ୍ରୟାସ ।
ଏହି ଉଦଘାଟନୀ ସମାରୋହରେ ପ୍ରାୟ ୨ ଲକ୍ଷରୁ ଅଧିକ ଜନତା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ କାର୍ଯ୍ୟ ହେବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମ୍ପୃକ୍ତ ସ୍ଥାନକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ସରକାର ଦେଶର ମହାନ ବ୍ୟକ୍ତିତ୍ୱଙ୍କ ଐତିହ୍ୟକୁ ସମ୍ମାନ ଏବଂ ସଂରକ୍ଷଣ କରିବାକୁ ପ୍ରତିବଦ୍ଧ। ଏହି ପରିପ୍ରେକ୍ଷୀରେ, ଗୁରୁବାର ପ୍ରାୟ ୨:୩୦ ସମୟରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ, ସମ୍ମାନନୀୟ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ବାର୍ଷିକୀ ଅବସରରେ, ଲକ୍ଷ୍ନୌରେ, ତାଙ୍କୁ "ଜାତୀୟ ପ୍ରେରଣା ସ୍ଥଳ" ଉଦଘାଟନ କରିବାର ଗୌରବ ମିଳିବ। ବାଜପେୟୀଙ୍କ ସହିତ, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଭବ୍ୟ କାଂସ୍ୟ ପ୍ରତିମା ମଧ୍ୟ ଏଠାରେ ସ୍ଥାପିତ ହୋଇଛି । ଦେଶ ନିର୍ମାଣରେ ଏହି ଦୂରଦୃଷ୍ଟିସମ୍ପନ୍ନ ନେତାମାନଙ୍କ ଅମୂଲ୍ୟ ଅବଦାନ ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରି ଏକ ଅତ୍ୟାଧୁନିକ ସଂଗ୍ରହାଳୟ ମଧ୍ୟ ବିକଶିତ କରାଯାଇଛି।