ନୂଆଦିଲ୍ଲୀ: ସକାଳୁ ସକାଳୁ କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରୁ ଆସିଛି ଦୁଃଖଦ ଖବର । ଗୁରୁବାର ଭୋର ସମୟରେ ଚିତ୍ରଦୁର୍ଗ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ସ୍ଲିପର ବସ୍ ଏକ ଟ୍ରକ୍ ସହିତ ଧକ୍କା ହେବା ଦ୍ୱାରା ବସ୍ଟି ଜଳି ଯାଇଛି । ଆଉ ବସରେ ଥିବା ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବସ୍ଟି ବେଙ୍ଗାଲୁରୁରୁ ଶିବମୋଗା ଅଭିମୁଖେ ଯାତ୍ରା କରୁଥିଲା। ବସ୍ଟି ୩୦୦ କିଲୋମିଟରରୁ ଅଧିକ ଯାତ୍ରା କରିଥିଲା। ଭୋର ପ୍ରାୟ ୩ଟା ସମୟରେ ଜାତୀୟ ରାଜପଥ ୪୮ରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ଡିଭାଇଡରୁ ଧକ୍କା ଦେଇ ବସକୁ ପିଟିଥିଲା । ବସରେ ତୁରନ୍ତ ନିଆଁ ଲାଗି ଯାଇଥିଲା । ଯେତେବେଳେ ଧକ୍କା ହୋଇଥିଲା ସେତେବେଳେ ଅଧିକାଂଶ ଯାତ୍ରୀ ବସ୍ରେ ଶୋଇଥିଲେ ଏବଂ ବସ୍ଟି ଜଳିବାକୁ ଲାଗିଥିଲା । ତେଣୁ କିଛି ଯାତ୍ରୀ ବାହାରି ଆସିବାରେ ସଫଳ ହୋଇଥିବା ଆଉ କିଛି ଯାତ୍ରୀ ଫସି ରହିଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ସେତେବେଳକୁ ଅନେକ ଯାତ୍ରୀଙ୍କର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବର ଲେଖାଯିବା ବେଳକୁ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ଆଇଜିପି ଡକ୍ଟର ବିଆର ରବିକାନ୍ତେ ଗୌଡା କହିଛନ୍ତି, \"ଏକ ବସ୍ ଗୋକର୍ଣ୍ଣ ଯାଉଥିଲା। ଇନ୍ଧନ ଭର୍ତ୍ତି ଟ୍ୟାଙ୍କର୍ ଟ୍ରକ୍ ଡିଭାଇଡର୍ ଡେଇଁ ବସ୍ ଉପରକୁ ମାଡ଼ିଯାଇଥିଲା । ଆଠ ଜଣଙ୍କର ମୃତ୍ୟୁ ହୋଇଛି, କିଛି ଆହତ ବର୍ତ୍ତି ଯାଇଛନ୍ତି । କଣ୍ଟେନର ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଛନ୍ତି। ମୋଟ ନଅ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଆହତ ବ୍ୟକ୍ତିଙ୍କୁ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ୨୦ ପ୍ରତିଶତ ପୋଡ଼ିଯାଇଛି । ବସ୍ରେ ଡ୍ରାଇଭର ଏବଂ କଣ୍ଡକ୍ଟର ସମେତ ୩୨ ଜଣ ଥିଲେ । ଟି ଦଶରାହାଲ୍ଲିରୁ ଦାଣ୍ଡେଲି ଯାଉଥିବା ଏକ ସ୍କୁଲ ବସ୍ ମଧ୍ୟ ଜଳିଯାଇଥିବା ବସ୍ ସହିତ ଧକ୍କା ଦେଇଥିଲା। ସୌଭାଗ୍ୟବଶତଃ, ସେହି ବସ୍ରେ ଥିବା ୪୮ ଜଣ ଛାତ୍ରଙ୍କର କିଛି ହୋଇନାହିଁ । ସେହି ସ୍କୁଲ ବସ୍ ଡ୍ରାଇଭର ହେଉଛନ୍ତି ସମଗ୍ର ଘଟଣାର ପ୍ରତ୍ୟକ୍ଷଦର୍ଶୀ । ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଉଛି । ଅଧିକ ତଦନ୍ତ ଜାରି ଅଛି ରହିଛି ବୋଲି ଆଇଜିପି କହିଛନ୍ତି ।
ଅଧିକ ପଢ଼ନ୍ତୁ:-ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ, ସୁଶାସନ ଦିବସ ଭାବେ ପାଳୁଛି ଦେଶ