ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ କେନ୍ଦ୍ର ସରକାର ଦିଲ୍ଲୀବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି । ଦିଲ୍ଲୀ ମେଟ୍ରୋ ସହିତ ଯୋଡ଼ି ହେବ ଆଉ ତିନୋଟି ଲାଇନ୍ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଦିଲ୍ଲୀ ମେଟ୍ରୋ ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଦିଲ୍ଲୀ ମେଟ୍ରୋ ଫେଜ୍-ଭିଏକୁ କେନ୍ଦ୍ରର ମଞ୍ଜୁରି ମିଳିଛି ।
କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀରେ ମେଟ୍ରୋ ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଦିଲ୍ଲୀ ମେଟ୍ରୋ ନେଟୱାର୍କରେ ଆଉ ତିନୋଟି ଲାଇନ ଯୋଡ଼ି ହେବ । ଏହି ପ୍ରକଳ୍ପ ପାଇଁ ୧୨,୦୧୫ କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟ ଅଟକଳ କରାଯାଇଛି । ୧୬ କିଲୋମିଟର୍ ଦୂରତା ବିଶିଷ୍ଟ ମେଟ୍ରୋ ଲାଇନରେ ୧୩ଟି ନୂଆ ଷ୍ଟେସନ ଯୋଡ଼ି ହେବ । ଯେଉଁଥିରେ ମାଟି ତଳେ ବା ଅଣ୍ଡରଗ୍ରାଉଣ୍ଡରେ ୧୦ଟି ଏବଂ ୩ଟି ଏଲିବେଟେଡ୍ ଷ୍ଟେସନ ରହିବ । ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ନୂତନ ମେଟ୍ରୋ ୫ଏ ନାମରେ ଜଣାଯିବ । ସଂପ୍ରସାରିତ ହେବାକୁ ଥିବା ମେଟ୍ରୋ ଲାଇନ୍ ମାଜେଣ୍ଟା ରଙ୍ଗରେ ପରିଚିତ ହେବ । ପ୍ରଥମ କରିଡର୍ ରାମକୃଷ୍ଣ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ତ (୯.୯ କିଲୋମିଟର) ଯାଏ ରହିବ । ଯେଉଁଥି ପାଇଁ ୯,୫୭୦.୪ କୋଟି ଖର୍ଚ୍ଚ ହେବ । ଦ୍ୱିତୀୟ କରିଡର୍ ଏରୋସିଟି-ଏୟାରପୋର୍ଟ ଟର୍ମିନାଲ୍୧ କୁ (୨.୩ କିମି) ଯୋଡ଼ିବ । ଏଥିପାଇଁ ୧୪୧୯.୬ କୋଟି ଖର୍ଚ୍ଚ ହେବ । ସେହିପରି ତୃତୀୟ କରିଡର୍ ତୁଗଲକାବାଦରୁ କାଳିନ୍ଦୀ କୁଞ୍ଜ ଯାଏ ଯିବ । ୩.୯ କିଲୋମିଟର ଲମ୍ବା ଲାଇନ୍ ପାଇଁ ୧୦୨୪.୮ କୋଟି ଟଙ୍କା ଖର୍ଚ୍ଚ ହେବ ।
ଏହି ମେଟ୍ରୋ କାର୍ୟ୍ୟକାରୀ ହେବା ପରେ ଦିଲ୍ଲୀରେ ମଟ୍ରୋ ଲାଇନ୍ ୪୦୦ କିଲୋମିଟର ଅତିକ୍ରମ କରିବ । ଚୀନ ଏବଂ ଆମେରିକା ପରେ ବିଶ୍ୱର ତୃତୀୟ ବଡ଼ ମେଟ୍ରୋ ନେଟୱାର୍କ ଭାରତ ଅଛି । ଏହି ସମ୍ପ୍ରସାରଣ ଦିଲ୍ଲୀର ଜୀବନଧାରଣକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ପ୍ରକଳ୍ପ ଦ୍ୱାରା ଦିଲ୍ଲୀରେ ବାୟୁର ପ୍ରଦୂଷଣ ହାର ହ୍ରାସ ପାଇବାର ଅନୁମାନ କରାଯାଉଛି । ସରକାରଙ୍କ ମୁତାବକ, ଏହା ଦ୍ୱାରା ବର୍ଷକୁ ୩୩,୦୦୦ ଟନ୍ ଅଙ୍ଗାରକାମ୍ଳ ହ୍ରାସ ପାଇବ । ସେହିପରି କର୍ତ୍ତବ୍ୟ ଭବନ ଏବଂ କେନ୍ଦ୍ରୀୟ କର୍ମଚାରୀଙ୍କୁ ମଧ୍ୟ ଲାଭ ମିଳିବ । କାରଣ ନୂତନ ମେଟ୍ରୋ କରିଡର୍ ସିଧାସଳଖ କର୍ତ୍ତବ୍ୟ ଭବନକୁ ସଂଯୋଗ କରିବ । ଆରକେ ଆଶ୍ରମ, ଶିବାଜୀ ଷ୍ଟାଡିୟମ, ସେଣ୍ଟ୍ରାଲ ସେକ୍ରେଟେରିଏଟ୍, କର୍ତ୍ତବ୍ୟ ଭବନ, ଇଣ୍ଡିଆ ଗେଟ୍, ୱାର୍ ମେମୋରିଆଲ୍/ହାଇକୋର୍ଟ-ବରୌଦା ହାଉସ୍, ଭାରତ ମଣ୍ଡପମ୍ ଓ ଇନ୍ଦ୍ରପ୍ରସ୍ତ ଷ୍ଟେସନ ଏହି କରିଡରରେ ରହିବ । ଯଦ୍ୱାରା ପ୍ରାୟ ୬୦ ହଜାର କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରତିଦିନ ଯାତାୟାତ କରୁଥିବା ୨ ଲକ୍ଷ ଯାତ୍ରୀଙ୍କ ସିଧାସଳକ ଲାଭ ଦେବ ।
ବର୍ତ୍ତମାନ ଦିଲ୍ଲୀ ମେଟ୍ରୋରେ ପ୍ରତିଦିନ ୬୫ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି । ଏହାର ଦୂରତା ରହିଛି ୩୯୫ କିଲୋମିଟର ।