ଭୁବନେଶ୍ୱର: ଗାଡିର ବୈଧ କାଗଜପତ୍ର କରାଇବା ପାଇଁ ମାସେ ସମୟ ଅବଧି ବଢିଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ଏହି ଅବଧି ମଧ୍ୟରେ ଆରସି, ଫିଟନେସ୍, ପିୟୁସି, ବୀମା ଆଦି କରାଇ ପାରିବେ। ଜାନୁଆରୀ ୧ପରିବର୍ତ୍ତେ ଫେବୃଆରୀ ପହିଲାରୁ କଡାକଡି ଗାଡି ଯାଞ୍ଚ ହେବ। ପୂର୍ବରୁ ଜାନୁଆରୀ ୧ରୁ ପିୟୁସି ନଥିଲେ ପେଟ୍ରୋଲ ମିଳିବନି ଓ କଡାକଡି ଯାଞ୍ଚ ହେବ ବୋଲି କୁହାଯାଇଛି। ଫେବୃଆରୀରୁ ପିୟୁସି ନଥିଲେ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ।
ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି। ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନ ଥିବା ଯାନ ମାନେ ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି।
ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ। ଏହି ସମୟରେ ପ୍ରଦୂଷଣ ସାର୍ଟିଫିକେଟ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।
ଅଧିକ ପଢନ୍ତୁ: ପିୟୁସିସିକୁ ନେଇ ବିବ୍ରତ ନ ହେବାକୁ ପରିବହନ ବିଭାଗ ପକ୍ଷରୁ ଜାରି ହେଲା ସୂଚନା; ଗୁଜବର ଶିକାର ନ ହେବାକୁ ଜନସାଧାରଣଙ୍କୁ ପରାମର୍ଶ