କଟକ: ଓଡ଼ିଶା ହାଇକୋର୍ଟଙ୍କ ଶୀତ ଅବକାଶ ଆସନ୍ତାକାଲି ୨୫ ତାରିଖର ବଡ଼ଦିନ ଠାରୁ ଆରମ୍ଭ ହେଉଛି। ତେଣୁ ଆଜି କୋର୍ଟର ଶେଷ କାର୍ଯ୍ୟ ଦିବସ ରହିଛି। ଜାନୁଆରୀ ୫ତାରିଖ ସୋମବାର କୋର୍ଟ ଖୋଲିବ। ଜାନୁଆରୀ ୨ତାରିଖ ଗୁରୁବାରକୁ ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରାଯାଇଛି। ଏହା ପରିବର୍ତ୍ତେ ମାର୍ଚ୍ଚ ୭ ତାରିଖ ଶନିବାର କୋର୍ଟ କାର୍ଯ୍ୟ କରିବ ବୋଲି ହାଇକୋର୍ଟ ପକ୍ଷର ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ।
ବିଜ୍ଞପ୍ତି ଅନୁସାରେ ଶୀତ ଅବକାଶ ସମୟରେ ଡିସେମ୍ବର ୩୦ରେ ଅବକାଶକାଳୀନ କୋର୍ଟ ବସିବେ। ଏହି ଅଦାଲତରେ ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଏକ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବ। ସେହିପରି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣ ପୃଥକ ପୃଥକ ବେଞ୍ଚ୍ରେ ବିଭିନ୍ନ ମାମଲାର ଶୁଣାଣି ହେବ। ତେବେ ଅଦାଲତର କାର୍ଯ୍ୟାଳୟ ଡିସେମ୍ବର ୨୬, ୨୭, ୨୯, ୩୦ ଏବଂ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।
ନୂଆ ମାମଲା ଦାଖଲ ପାଇଁ କମ୍ପ୍ୟୁଟର ଫାଇଲିଂ କାଉଣ୍ଟର ପ୍ରତି କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ଜରୁରୀ ମାମଲାଗୁଡ଼ିକୁ ତାଲିକାଭୁକ୍ତ କରିବା ପାଇଁ ଡିସେମ୍ବର ୨୯ ଦିନ୧୧ଟାରୁ ୧୨ଟା ମଧ୍ୟରେ ଡେପୁଟି ରେଜିଷ୍ଟ୍ରାର (ନ୍ୟାୟିକ)ଙ୍କ କାର୍ଯ୍ୟାଳୟରେ ଥିବା ଡ୍ରପ୍ ବକ୍ସରେ ମେନ୍ସନ୍ ମେମୋ ପକାଇ ଉଲ୍ଲେଖ କରାଯାଇପାରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ: ଆଜି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ; ମଣ୍ଡି ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ଅଧିକାରୀଙ୍କ ସହ କରିବେ ଆଲୋଚନା