ଭୁବନେଶ୍ୱର:ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ପାଇଁ ଖୁବ ଶୀଘ୍ର ତାରିଖ ଘୋଷଣା ହୋଇପାରେ । ଏ ନେଇ ଆସନ୍ତା ୨୭ ତାରିଖ ଶନିବାର ସନ୍ଧ୍ୟା ସାଢ଼େ ୪ଟା ସମୟରେ କମିଟି ବୈଠକ ଅନୁଷ୍ଠିତ ହେବ । ଏ ନେଇ କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ୱନାଥ ରଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଜଷ୍ଟିସ୍ ରଥ କହିଛନ୍ତି ଯେ ରତ୍ନ ଅଳଙ୍କାର ଗଣତି ପାଇଁ ନିର୍ଦ୍ଦେଶ ଆସିବା ପରେ ଆସନ୍ତା ଶନିବାର ବୈଠକ ବସିବ । ଏଥିପାଇଁ କମିଟିର ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ସୂଚନା ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଏସଓପି ଏବଂ ସମ୍ଭାବ୍ୟ ତାରିଖକୁ ନେଇ ଆଲୋଚନା ହେବ । ପୂର୍ବରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ସହିତ ରତ୍ନ ଭଣ୍ଡାର ମରାମତି ଶେଷ ହୋଇଛି । ଭଗବାନଙ୍କ କାମ ହୋଇଥିବାରୁ ପାଞ୍ଜି ଦେଖି ଶୁଭ ମୁହୂର୍ତ୍ତ ନିର୍ଦ୍ଧାରଣ କରାଯିବ । ପରିଚାଳନା କମିଟିକୁ ଦୁଇଟି ତାରିଖ ଦିଆଯିବ । କମିଟି ଉକ୍ତ ତାରିଖକୁ ଅନୁମୋଦନ କଲେ ସରକାରଙ୍କ ମଞ୍ଜୁରି ପାଇଁ ପଠାଯିବ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନରେ ସାମାନ୍ୟ ବାଧା ସୃଷ୍ଟି ହୋଇପାରେ । ତେଣୁ ସହଯୋଗ କରିବାକୁ ସେ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ିଛନ୍ତି ।
ଏହା ସହିତ ଜାନୁୟାରୀରେ କରିବାକୁ ବ୍ୟକ୍ତିଗତ ମତ ଦେଇଛନ୍ତି ଜଷ୍ଟିସ୍ ରଥ । ଗଣତି ପାଇଁ ବାହାର ରତ୍ନ ଭଣ୍ଡାର ସୁରକ୍ଷିତ ନ ଥିବାରୁ ରତ୍ନ ଅଳଙ୍କାର ଗଣତି ଭିତର ଭଣ୍ଡାରରେ କରାଯିବାକୁ ଯୋଜନା ରହିଛି । ଯେହେତୁ ସ୍ଥାନ ଛୋଟ ତେଣୁ କେଉଁମାନଙ୍କୁ ସାମିଲ କରାଯିବ ତାହା ଉପରେ ଆଲୋଚନା କରାଯିବ । ନିଶ୍ଚିତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯିବ । ସେହିପରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୯୭୮ରେ ହୋଇଥିବା ଗଣତିର ଅଘୋଷିତ ତାଲିକା ସହିତ ମେଳ କରାଯିବ । ଅଘୋଷିତ ତାଲିକା ହୋଇଥିବାରୁ ସରକାରଙ୍କ ନିକଟରେ ଉକ୍ତ ତାଲିକା ରହିଛି । ଭଗବାନଙ୍କ ସମ୍ପତ୍ତିର ଆକଳନ କରାଯାଇପାରିବ ନାହିଁ । ତେଣୁ ଗଣତି ବେଳେ ଚିହ୍ନଟ ପ୍ରକ୍ରିୟା କରାଯିବ ଓ ଓଜନ ଆଦି କରାଯିବ । ଏହା ସହିତ ପୂର୍ବ ତାଲିକା ସହିତ ମେଳ କରାଯିବ ଏବଂ ସବୁଠିକ୍ ଅଛି କି ନାହିଁ ଦେଖାଯିବ । କିନ୍ତୁ ମୂଲ୍ୟାଙ୍କନ କରାଯିବ ନାହିଁ ।