ଭୁବନେଶ୍ୱର : ଚନ୍ଦକା କୁମାରଖୁଣ୍ଟି ହାତୀ ପାଠଶାଳାରେ ୫ ମାସର ମା’ ଛେଉଣ୍ଡ ଛୁଆ ହାତୀ ‘ଶମ୍ଭୁ’ର ମୃତ୍ୟୁ ଘଟିଛି । କେଉଁ ରୋଗରେ ଆକ୍ରାନ୍ତ ହୋଇ ଶମ୍ଭୁର ମୃତ୍ୟୁ ହେଲା ତାହା ବନବିଭାଗ ସ୍ପଷ୍ଟ କରିନି । ଓୟୁଏଟିର ୫ ଜଣିଆ ଡାକ୍ତର ଟିମ ଦ୍ୱାରା ହାତୀ ଛୁଆର ଶବ ବ୍ୟବଚ୍ଛେଦ କରାଯାଇ ତାକୁ ଜଙ୍ଗଲରେ ପୋତି ଦିଆଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶମ୍ଭୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନବିଭାଗ କହିଛି ।
ସୋମବାର ଶମ୍ଭୁ ହଠାତ୍ ଅସୁସ୍ଥ ହୋଇ ପଡ଼ିଲା ବୋଲି ଚନ୍ଦକା ବନବିଭାଗ ପକ୍ଷରୁ କୁହାଗଲା। ଶମ୍ଭୁର ପଛଗୋଡ଼ରେ ଅସୁବିଧା ଅଛି, ତା’ର ଚିକିତ୍ସା ଚାଲିଛି । ସାଲାଇନ୍ ଦିଆଯିବା ସହ ତାକୁ ନିରୀକ୍ଷଣରେ ରଖା ଯାଇଛି ବୋଲି କୁହା ଯାଇଥିଲା । ହେଲେ ତା ପରଦିନ ସକାଳ ସାଢ଼େ ୭ଟାବେଳେ ହଠାତ୍ ତା’ର ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଗଲା । ତା’ର ଅଧିକ ଉନ୍ନତ ଚିକିତ୍ସା ପାଇଁ ନନ୍ଦନକାନନ ନିଆଯିବା ପାଇଁ ଯୋଜନା ହୋଇଥିଲା ବୋଲି କୁହାଯାଇଛି। କିନ୍ତୁ ତା’ ପୂର୍ବରୁ ସେ ଆଖିବୁଜିଦେଲା । ଶମ୍ଭୁକୁ ତୁରନ୍ତ ନନ୍ଦନକାନନ ନିଆ ନ ଯାଇ କିମ୍ବା ଓୟୁଏଟିରୁ ବିଶେଷଜ୍ଞ ଡାକ୍ତରଙ୍କୁ ନ ଡାକି ନିକଟରେ ରହୁଥିବା ଜଣେ ଅନଭିଜ୍ଞ ପଶୁ ଡାକ୍ତରଙ୍କୁ ଡକାଇ ତା’କୁ କେବଳ ସାଲାଇନ୍ ଦିଆଯାଇଥିଲା । ତେଣୁ ଉପଯୁକ୍ତ ଚିକିତ୍ସା ନ ପାଇ ଛୁଆ ହାତୀଟିର ମୃତ୍ୟୁ ଘଟିଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ସୂଚନା ଥାଉକି କେନ୍ଦୁଝରରୁ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଥିବା ଶମ୍ଭୁକୁ ମା’ ହାତୀ ଆଉ ଗ୍ରହଣ ନ କରିବାରୁ ଗତ ୧୪ ତାରିଖରେ ଏଠାକୁ ଅଣା ଯାଇଥିଲା । ତା’ ସ୍ୱାସ୍ଥ୍ୟାବସ୍ଥା ଭଲରେ ପରୀକ୍ଷା ନ କରି କିମ୍ବା ଏଠାରେ ତାକୁ କିଛିଦିନ ବିଶ୍ରାମ ଦିଆ ନ ଯାଇ ପ୍ରତ୍ୟେହ ତାକୁ କୁମ୍କୀ ପ୍ରଶିକ୍ଷଣରେ ସାମିଲ କରାଯାଇଥିଲା । ଯାହା ଫଳରେ ଶରୀରରେ କୌଣସି ଆଭ୍ୟନ୍ତରୀଣ ରୋଗରେ ଆକ୍ରାନ୍ତ ହୋଇ ଶମ୍ଭୁ ମୃତ୍ୟୁବରଣ କଲା ବୋଲି ଅଭିଯୋଗ ହୋଇଛି ।