ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏକ ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଜଗତସିଂହପୁରରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ମାମଲାରେ ୫ ଜଣଙ୍କୁ ପୋଲିସ ଅଟକ ରଖିଛି । ସେପଟେ ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ଛାନଭିନ୍ ଆରମ୍ଭ କରିଛନ୍ତି । ସନ୍ଧାନୀ କୁକୁର ଜଣେ ବ୍ୟକ୍ତିଙ୍କ ଘର ନିକଟକୁ ଯାଇଥିଲା । ଯାହାର ସନ୍ଦେହରେ ତାଙ୍କୁ ଅଟକ ରଖାଯାଇଛି ।
ଆଜି ମଧ୍ୟ ତିନୋଟି ସ୍ଥାନରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ହାଟପଟି, ମଧୁବାବୁ ଛକ ଓ ବସ୍ଷ୍ଟାଣ୍ଡରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଛି । ଭଦ୍ରକ ଏସପି ମନୋଜ କୁମାର ରାଉତ, ସ୍ଥାନୀୟ ପୋଲିସ, ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ ପ୍ରମୁଖ ପହଁଚି ବହୁତ ବୁଝା ସୁଝା କରିବା ପରେ ସ୍ଥାନୀୟ ବାସିନ୍ଦା ଶାନ୍ତ ପଡ଼ିଛନ୍ତି ।
ଗତକାଲି ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳିକା ଅପରାହ୍ନ ପ୍ରାୟ ୨ଟା ସମୟରେ ଘରୁ ବାହାରି ଆସିଥିଲେ । କିନ୍ତୁ ଅପରାହ୍ନ ଯାଇ ସଞ୍ଜ ନଇଁବା ପରେ ଝିଅ ଘରକୁ ଫେରି ନଥିଲା । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଞ୍ଚ ଜଙ୍ଗଲରୁ ନାବାଳିକାର ଉଲଗ୍ନ ମୃତ ଦେହ ଉଦ୍ଧାର କରିଥିଲେ । ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଗତକାଲି ଠାରୁ ସ୍ଥାନୀୟ ଅଞ୍ଚଳରେ ନ୍ୟାୟ ଦାବିରେ ଉତ୍ତେଜନା ଲାଗି ରହିଛି ।