ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଆଦିବାସୀ ପୂଜକଙ୍କୁ ମିଳିବ ମାସିକ ଦରମା। ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ଜନଜାତି ତାଲିକାରେ ଆଉ ଏକ ନୂଆ ବର୍ଗ ସାମିଲ ହେବେ। ଆଦିବାସୀ ଗ୍ରାମର ପୂଜକମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ଏବଂ ସେମାନଙ୍କ ପୂଜାସ୍ଥଳୀଗୁଡ଼ିକର ବିକାଶ ତଥା ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ତ୍ଵ। ଆଦିବାସୀମାନଙ୍କର ଜମି ରେକର୍ଡ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଲେଖିବା ପାଇଁ ସୁପାରିଶ କରାଯାଇଛି। ଏକଲବ୍ୟ ଆବାସିକ ସ୍କୁଲର ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ବିଜ୍ଞାନ ସହିତ କଳା ଓ ବାଣିଜ୍ୟ ବିଷୟ ରଖିବା ଏବଂ ଆଦିବାସୀ ଅଞ୍ଚଳରେ ଇକୋ-ଟୁରିଜିମକୁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ହୋଇଛି। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ନିଷ୍ପତି ନିଆଯାଇଛି।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜନଜାତି ଉପଦେଷ୍ଟା ମଣ୍ଡଳୀର ୧୮ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତି କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଆମପାଇଁ ଜନଜାତି ସମ୍ପ୍ରଦାୟ କେବଳ ଯୋଜନାର ହିତାଧିକାରୀ ନୁହଁନ୍ତି, ସେମାନେ ଆମ ପ୍ରଗତିରେ ସହଭାଗୀ ମଧ୍ୟ ବୋଲି କହିଥିଲେ। ଆଦିବାସୀମାନଙ୍କ ଜୀବନଜୀବିକା, ଅର୍ଥନୈତିକ ବିକାଶ ସହିତ ସେମାନଙ୍କ ଧାର୍ମିକ ଭାବନା ପ୍ରତି ମଧ୍ୟ ଆମକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ମତ ଦେଇଥିଲେ। ଆଦିବାସୀ ଗ୍ରାମର ପୂଜକମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବା ଓ ସେମାନଙ୍କ ପୂଜାସ୍ଥଳୀ ଗୁଡିକର ବିକାଶ ଓ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରିଷଦକୁ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ଏ ବିଷୟରେ ଅନୁଧ୍ୟାନ ଓ ଆଲୋଚନା କରି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯିବ।
ଆଦିବାସୀ ଅଞ୍ଚଳ ଗୁଡିକରେ ଇକୋ ଟୁରିଜିମ ତ୍ୱରାନ୍ୱିତ କରାଯିବା ଓ ଟ୍ରାଇବାଲ ହୋମ ଷ୍ଟେ ବୃଦ୍ଧି କରାଯିବା ପାଇଁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ST ତାଲିକାରେ Record of Rights ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖା ଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏଥିସହିତ ST ସମ୍ପ୍ରଦାୟରେ ଅଧିକ ବର୍ଗଙ୍କୁ ଅନ୍ତର୍ଭୁକ୍ତି କରିବାପାଇଁ SCSTRTI କୁ ସଠିକ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦକୁ ସୁପାରିଶ କରିବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ରାଜ୍ୟପାଳଙ୍କ ଅଫିସରୁ ଆସିଥିବା ପ୍ରସ୍ତାବ ଗୁଡିକୁ ମଧ୍ୟ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଆଲୋଚନା କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହିଭଳି, inter-departmental committee ମାଧ୍ୟମରେ ପେସା ଅଧିନିୟମର ଓଡ଼ିଶାଭିତ୍ତିକ ନିୟମାବଳୀକୁ ସଠିକ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକକୁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଆହୁରି ମଧ୍ୟ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲ ଗୁଡିକରେ ବିଜ୍ଞାନ ସହିତ କଳା ଓ ବାଣିଜ୍ୟ ବିଷୟ ରଖିବା ପାଇଁ ସୁପାରିଶ କରାଯାଇଛି।
ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ସହିତ କମିଟିର ସଦସ୍ୟ ଓ ବିଧାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର-ତଥା-ଶାସନ ସଚିବ,ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ: ଗାଡିର ବୈଧ କାଗଜପତ୍ର କରାଇବା ପାଇଁ ମାସେ ବଢ଼ିଲା ଅବଧି; ଫେବୃଆରୀରୁ ପିୟୁସି ନଥିଲେ ମିଳିବ ନାହିଁ ପେଟ୍ରୋଲ ଓ ଡିଜେଲ