ଭୁବନେଶ୍ଵର: ଆସନ୍ତାକାଲି ପବିତ୍ର ବଡ ଦିନ ବା ଖ୍ରୀଷ୍ଟ ମାସ। ଆଜି ମଧ୍ୟରାତିରେ ଧରାବତରଣ କରିବେ ପ୍ରଭୁ ଯୀଶୁ।ଏଥିଲାଗି ରାଜ୍ୟର ବିଭିନ୍ନ ଚର୍ଚ୍ଚ ଗୁଡିକୁ ରଙ୍ଗୀନ୍ ଆଲୋକମାଳାରେ ସଜା ଯିବା ସହ ସହ ବ୍ୟାପକ ଆୟୋଜନ ମଧ୍ୟ କରାଯାଇଛି ଯୀଶୁଙ୍କ ଆଗମନ ପାଇଁ ଢେର ସାରା ଉତ୍ସାହ ଦେଖିବାକୁ ମିଳିଛି। ସମସ୍ତେ ଆଜି ମଧ୍ୟରାତ୍ରକୁ ଅପେକ୍ଷା କରି ରହିଛନ୍ତି। ପ୍ରଭୁ ଯୀଶୁଙ୍କୁ ସ୍ଵାଗତ କରିବା ଲାଗି କ୍ୟାରୋଲ୍ ସଙ୍ଗୀତ ଗାନ କରାଯିବ। ଆଜି ରାତିରୁ ଆରମ୍ଭ ହୋଇଯିବ ବିଭିନ୍ନ କାର୍ଯ୍ୟକ୍ରମ। ଯୀଶୁଙ୍କ ଜନ୍ମ ସ୍ଥାନ , ମେଣ୍ଢାଶାଳରେ ଯୀଶୁଙ୍କ ଜନ୍ମ ସମୟ, କେକ୍ ଏବଂ ବଡ ଦିନର ବାର୍ତ୍ତା ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ରାତି ୧୨ଟାରେ ଯୀଶୁ ଜନ୍ମ ହେବା ପରେ ୨୫ ତାରିଖ ସକାଳେ ସମୂହ ପ୍ରାର୍ଥନା କରାଯିବ।
ଭୁବନେଶ୍ଵର ସତ୍ୟନଗର ଚର୍ଚ୍ଚରେ ଯୀଶୁ ଙ୍କ ସ୍ଵାଗତ ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାଲି ଦିନ ତମାମ ସାଧରଣ ଲୋକଙ୍କ ପାଇଁ ଚର୍ଚ୍ଚ ଖୋଲା ରହିବ। ସେହିପରି ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କନ୍ଧମାଳ ସହର। ଚିକମିକ୍ ଲାଇଟରେ ସଜେଇ ହେଉଛି ଚର୍ଚ୍ଚ। ବଡ ଦିନକୁ ଧୁମଧାମରେ ପାଳିବାକୁ ଚର୍ଚ୍ଚ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜିଉଦୟଗିରୀ, ରାଇକିଆ ଦାରିଙ୍ଗବାଡି ଓ ବାଲିଗୁଡା ଭଳି ଅଞ୍ଚଳଗୁଡ଼ିକରେ ରଙ୍ଗ ବେରଙ୍ଗ ଲାଇଟରେ ଝଲସୁଛି ଚର୍ଚ୍ଚ। ଶାନ୍ତି ଶୃଙ୍ଖଳାର ସହ ବଡ଼ ଦିନ ପାଳିବାକୁ କନ୍ଧମାଳ ଜିଲ୍ଲାପାଳ ଓ କନ୍ଧମାଳ ଏସପିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି। ସମଗ୍ର ଜିଲ୍ଲାରେ ୨୭ ପ୍ଲାଟୁନ ଫୋର୍ସ, ୮୦ ଜଣ SI,OSI ମୂତୟନ କରାଯାଇଛି। ଏହାର ତଦାରଖ ପାଇଁ ୧୭ ଜଣ ଇନସ୍ପେକ୍ଟର ୭ଜଣ SDPO, DSP ଜଣେ ଅତିରିକ୍ତ ଏସପିଙ୍କୁ ଦାୟୀତ୍ଵ ଦିଆଯାଇଛି।
ଅଧିକ ପଢନ୍ତୁ: ଆସନ୍ତାକାଲି ଠୁ ହାଇକୋର୍ଟରେ ଆରମ୍ଭ ହେବ ଶୀତ ଅବକାଶ; ଆଜି ଶେଷ କାର୍ଯ୍ୟ ଦିବସ