ସୋର : ରୋଗୀଙ୍କୁ ଦେଲେନି ସରକାରୀ ଔଷଧ ହେଲେ ନିଆଁ ଲଗାଇ ପୋଡିଦେଲେ। ବାଲେଶ୍ୱର ଜିଲ୍ଲା ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଅଳିଆ ପକାଇବା ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପୋଡ଼ିଦେଲେ ପୁଳାପୁଳା ଔଷଧ । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିଛି ଓ ପୋଡ଼ାଯାଇଛି ଅନେକ ଏକ୍ସପାରି ଔଷଧ ଓ ରକ୍ତ ପରୀକ୍ଷା କିଟ୍ । ବିଭିନ୍ନ ରୋଗ ପାଇଁ ସରକାରଙ୍କ ନିରାମୟ ଯୋଜନାରେ ଆସିଥିବା ଔଷଧ ଏବଂ ସିରାପ, ମଲମ, ଇଞ୍ଜେକ୍ସନ ଆଦି ରୋଗୀଙ୍କୁ ଦିଆଯିବା ପରିବର୍ତ୍ତେ ଫିଙ୍ଗା ଯାଇଛି । ଔଷଧ ପୋଡ଼ାଯିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
କେବଳ ଏକ୍ସପାରି ଔଷଧ ନୁହେଁ ସ୍ବାସ୍ଥ୍ୟକେନ୍ଦ୍ର ପରିସରେ ପଡିଥିବା ଔଷଧରେ ଓଡିଶା ସରକାରଙ୍କ ଯୋଗାଣ , ବିକ୍ରୟ ପାଇଁ ନୁହଁ ବୋଲି ଲେଖାଥିବା ବେଳେ କେତେକ ଔଷଧ ରୋଗୀଙ୍କୁ ନଦେଇ ଏକ୍ସପାରି କରି ଫିଙ୍ଗା ଯାଇଛି ତ କେତେକ ଔଷଧର ଅବଧି ଦୀର୍ଘ ମାସ ଥିବା ସତ୍ବେ ମଧ୍ଯ ତାହାକୁ ଫିଙ୍ଗା ଯାଇଥିବାର ଦେଖିବାକୁ ମିଳିଛି । ସେଥିମଧ୍ୟରୁ ଆମୋକ୍ସିସିଲିନ୍ ଏବଂ ପୋଟାସିୟମ୍ କ୍ଲାଭୁଲାନେଟ୍ ଓରାଲ୍ ସସ୍ପେନ୍ସନ୍ ଔଷଧର ବ୍ୟାଚ ନମ୍ବର ପିଡ଼ି୨୫୦୩୦ ଲେଖାଥିବା ବେଳେ ପ୍ରସ୍ତୁତି ଫେବୃଆରୀ ୨୦୨୫ ଏବଂ ଔଷଧର ଅବଧି ଜୁଲାଇ ମାସ ୨୦୨୬ ରହିଛି । ଅର୍ଥାତ ଏହି ଔଷଧର ଅବଧି ସରିବାକୁ ଆହୁରି ୭ ମାସରୁ ଉର୍ଦ୍ଧ ସମୟ ଥିବା ବେଳେ ରୋଗୀଙ୍କ ଔଷଧ ମେଡିକାଲରେ ରହିବା ପରିବର୍ତ୍ତେ ମେଡିକାଲ ପରିସରରେ ପୋଡା ଯାଇଛି ।
କେବଳ ଏହି ଗୋଟିଏ ଔଷଧ ନୁହଁ ଅନେକ ରୋଗର ଔଷଧକୁ ଏଭଳି ନଷ୍ଟ କରିଛନ୍ତି ମେଡିକାଲ କତ୍ତୃପକ୍ଷ । କେଉଁଠି ଲୋକଙ୍କୁ ଔଷଧ ଦିଆନଯାଇ ଏକ୍ସପାୟାରୀ କରି ଫିଙ୍ଗା ଯାଇଛି ତ କେଉଁଠି ଅବଧି ଥିବା ଔଷଧକୁ ଫିଙ୍ଗିବା ସହ ପୋଡ଼ି ମଧ୍ୟ ଦିଆଯାଇଛି । ସେହିଭଳି ଅଳିଆ ପାଇଁ ଉଦ୍ଦୀଷ୍ଠ ଥିବା କଂକ୍ରିଟ ଚ୍ୟାମ୍ବରରେ ଶତାଧିକ କିଟ୍ ପ୍ୟାକେଟ ମଧ୍ୟ ଫିଙ୍ଗା ଯାଇଛି । ମେଡ଼ିସିନ ପୋଡ଼ି ନଷ୍ଟ କରାଯିବା ଏବଂ ଅଳିଆ ଗଦାରେରେ ଫିଙ୍ଗା ଯାଉଥିବା ବେଳେ ମେଡିକାଲ କର୍ତ୍ତୁପକ୍ଷ ଯାଞ୍ଚ ନକରିବା ବିଭାଗୀୟ ଅବହେଳାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି ।
ସୂଚନା ଥାଉ କି ଗତ ୧୦ ତାରିଖରେ ରେମୁଣା ବ୍ଲକ ଶ୍ରୀଜଙ୍ଗ ଇଞ୍ଚୁଡି ରାସ୍ତାର ତୁଣ୍ଡରା ପୋଲ ନିକଟ ରାସ୍ତା କଡ ଆଳିଆଗଦାରେ ଆଇରନ ଏବଂ ଫଲିକ ଏସିଡର ୩୦୦ ରୁ ଉର୍ଦ୍ଧ ସିରାପ୍ ଅବଧି ଥିବା ସତ୍ତ୍ୱେ ଫିଙ୍ଗା ଯାଇଥିବାର ଖବର ପ୍ରସାରଣ ପରେ ତଦନ୍ତ କରାଯାଇ ସମ୍ପୃକ୍ତ ଥିବା ୨ ମହିଳା ସ୍ଵାସ୍ଥ୍ୟକର୍ମୀ ନିଲମ୍ବିତ ହୋଇଥିଲେ । ହେଲେ ମାତ୍ର ୧୨ ଦିନ ପରେ ପୁଣି ସମାନ ଚିତ୍ର ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ।