ଭୁବନେଶ୍ୱର: ଆଜି ହେଉଛି ବଡ଼ ଦିନ । ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାପୃଷ୍ଠରେ ଅବତରଣ କରିଛନ୍ତି । ସାରା ବିଶ୍ୱର ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତ ଚର୍ଚ୍ଚରେ ସାଜସଜା କରାଯିବା ସହିତ ସମୂହ ପ୍ରାର୍ଥନାର ମଧ୍ୟ ଆୟୋଜନା କରାଯାଇଛି ।
ଓଡ଼ିଶାର ମଧ୍ୟ ବିଭିନ୍ନ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଲାଗିଛି । କଟକ, ଭୁବନେଶ୍ୱର ଠାରୁ ଆରମ୍ଭ କରି କନ୍ଧମାଳ, ବଲାଙ୍ଗୀର ଆଦି ଜିଲ୍ଲା ମାନଙ୍କରେ ଚର୍ଚ୍ଚରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଚର୍ଚ୍ଚ ଗୁଡ଼ିକୁ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯିବା ସହିତ ବାଇବେଲ୍ ପାଠ କରାଯାଉଛି ।
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ଦିନ ରୂପେ ପାଳନ କରନ୍ତି । ବାଇବେଲ୍ ଅନୁସାରେ ବେଥ୍ଲେହେମ୍ଠାରେ ଯୀଶୁଙ୍କ ଜନ୍ମଗ୍ରହଣ ହୋଇଥିଲା । ସନ୍ଥ ଜୋସେଫ୍ ଓ ମାତା ମେରି (ମରିୟମ୍) ବେଥ୍ଲେହେମ୍ ସହରରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ରହିବା ପାଇଁ କୌଣସି ପାନ୍ଥନିବାସ ନାହିଁ । ତେଣୁ ଏକ ମେଣ୍ଢାଶାଳରେ ମାତା ମେରିଙ୍କୁ ରହିବାକୁ ପଡ଼ିଥିଲା ଓ ସେଠାରେ ସେ ଯୀଶୁଙ୍କୁ ଜନ୍ମ ଦେଇଥିଲେ । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ ହୋଇ ବଡ଼ଦିନ ଉତ୍ସବର ଆରମ୍ଭ ହୋଇଥାଏ ଏବଂ ତାହା ଦ୍ୱାଦଶ ଦିନରେ ସରି ଏକ ଉତ୍ସବ ପରି ପାଳିତ ହୁଏ । କିଛି ଦେଶର ସ୍ଥାନୀୟ ସଂସ୍କୃତି ଅନୁସାରେ ଏହି ଉତ୍ସବ ଆଠ ଦିନ ଧରି ମଧ୍ୟ ପାଳିତ ହୁଏ ।