ଭୁବନେଶ୍ୱର: ଏଇଟା ବୋଧ ହୁଏ ମୋର ଶେଷ ଭିଡିଓ ହୁଏତ ମୁଁ କାଲି ସକାଳ ନ ଦେଖିପାରେ। ହୁଏତ କାଲି ସକାଳେ ମୋ ଗୋଡ ଭାଙ୍ଗି ଯାଇପାରେ। ହୁଏତ ମୁଁ କାଲି ଏ ଦୁନିଆରେ ଆଉ ନଥାଇ ପାରେ। ଏପରି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଏ ଭିଡିଓ ହେଉଛି କମେଡିଆନ ମିଷ୍ଟର ଗୁଲୁଆଙ୍କର। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଛାଡିଛନ୍ତି ଯେଉଁ ଭିଡିଓରେ ସେ ସାହାର୍ଯ୍ୟ ମାଗିଛନ୍ତି।
ତେବେ ଉକ୍ତ ଭିଡିଓରେ ଗୁଲୁଆ ପ୍ରଶାସନଠାରୁ ତୁରନ୍ତ ସାହାଯ୍ୟ ମଣିଛନ୍ତି। ଭିଡିଓରେ ଗୁଲୁଆ ଅଭିଯୋଗ କରିଛନ୍ତି ଯେ କିଛି ଲୋକ ତାଙ୍କୁ ଧମକ ଦେଉଛନ୍ତି। ପ୍ରଥମେ କୋଟିଏ ଟଙ୍କା ମାଗିଥିଲେ ଏବେ ୫୦ ଲକ୍ଷ ଟଙ୍କା ଦାବି କରୁଛନ୍ତି। ଟଙ୍କା ନଦେଲେ ହତ୍ୟା କରିଦେବେ କିମ୍ବା ଦିବ୍ୟାଙ୍ଗ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।
ତାଙ୍କୁ ସୋସିଆଲ ମିଡିଆରେ ବଦନାମ କରିବେ, ମିଥ୍ୟା ମାମଲାରେ ଫସାଇଦେବେ ଏବଂ ତାଙ୍କୁ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। ପୂର୍ବରୁ ବାଲିଅନ୍ତା ପୋଲିସ ଷ୍ଟେସନକୁ ସେ ଯାଇ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ଧମକ ଦେଉଥିବା ଲୋକଙ୍କର ପୋଲିସ ସହିତ ସମ୍ପର୍କ ଥିବା ସେ ଅନୁଭବ କରିବାରୁ ସେ ଫେରି ଆସିଥିଲେ। ଭୟ ଏବଂ ଅସୁରକ୍ଷା ଯୋଗୁଁ ସେ ଆଉ ପୋଲିସ ଷ୍ଟେସନକୁ ଯିବା ପାଇଁ ସୁରକ୍ଷିତ ମଣୁ ନାହାଁନ୍ତି।
ଆଉ ସେପଟେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଗୁଲୁଆଙ୍କ ସ୍ତ୍ରୀ ବର୍ଷାଙ୍କ କିଛି ଇନଷ୍ଟା ପୋଷ୍ଟ । ଗୋଟିଏ ପୋଷ୍ଟରେ ବର୍ଷା ‘ଜଣେ ମହାନ କଳାକାରଙ୍କ କଳାକାରନାମାର ପର୍ଦ୍ଦାଫାସ କରିବି’ ବୋଲି ଲେଖିଛନ୍ତି ଆଉ ଗୋଟେ ପୋଷ୍ଟରେ ଲେଖିଛନ୍ତି ‘ମହାନ କଳାକାରଙ୍କ ପାଖରେ କାମ କରୁଥିବା ନାୟକ ମାନେ ବି କିଛି କମ୍ ନୁହଁନ୍ତି ଆଗ ସେମାନଙ୍କ ପାଳି... ତାର ଦୁଃଖ ଶୁଣି ତାକୁ କାମ ଦେଇଥିଲି ଆଉ ତା କାହାଣୀର ଆଗ ପର୍ଦ୍ଦାଫାଶ କରିବି’। ତେବେ ଗୁଲୁଆଙ୍କ ଅଭିଯୋଗ ସହିତ ଏହି ପୋଷ୍ଟର କିଛି ଲିଙ୍କ ଅଛି କି ନାହିଁ ତାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି।