ଭଦ୍ରକ: ଆଜି ଚାନ୍ଦବାଲି ବ୍ଲକ୍ ବନ୍ଦ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ଦୁଇ ବିରୋଧୀ ଦଳ ବିଜେଡ଼ି ଏବଂ କଂଗ୍ରେସ ପୃଥକ ପୃଥକ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ପାଳନ କରାଯାଉଛି । ସମ୍ପୂର୍ଣ୍ଣ ବ୍ଲକରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଯାନବାହାନ ଚଳାଚଳ ବନ୍ଦ ରହିଛି । ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ପିକେଟିଂ କରିବା ସହିତ ନାରାବାଜି କରୁଥିବାର ଦେଖିବାକୁ ମିଳିଛି । ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।
ମଙ୍ଗଳବାର ଦିନ ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳିକା ଅପରାହ୍ନ ପ୍ରାୟ ୨ଟା ସମୟରେ ଘରୁ ବାହାରି ଆସିଥିଲେ । କିନ୍ତୁ ଘରକୁ ଫେରି ନଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଞ୍ଚ ଜଙ୍ଗଲରୁ ନାବାଳିକାର ଉଲଗ୍ନ ମୃତ ଦେହ ଉଦ୍ଧାର କରିଥିଲେ । ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ନ୍ୟାୟ ଦାବିରେ ଉତ୍ତେଜନା ଲାଗି ରହିଛି । ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରେ ଲୁଚିଥିବାବେଳେ ପୋଲିସ ଗିରଫ କରିଛି ।