ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଦିଲ୍ଲୀର ଦି କ୍ୟାଥେଡ୍ରାଲ୍ ଚର୍ଚ୍ଚ ଅଫ୍ ଦି ରିଡେମ୍ପସନ୍ରେ ବଡ଼ଦିନ ସକାଳ ସମୂହ ପ୍ରାର୍ଥନାରେ ଯୋଗ ଦେଇଛନ୍ତି । ଏଥିରେ ଦିଲ୍ଲୀ ଏବଂ ଉତ୍ତର ଭାରତର ବହୁ ସଂଖ୍ୟକ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୋଗ ଦେଇଛି । ଏହି ସେବାରେ ପ୍ରାର୍ଥନା, କ୍ୟାରୋଲ୍, ଭଜନ ଏବଂ ଦିଲ୍ଲୀର ବିଶପ୍ ରାଇଟ୍ ରେଭେରେଣ୍ଡ୍ ପଲ ସ୍ୱରୂପଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବିଶେଷ ପ୍ରାର୍ଥନା ଆୟୋଜନା କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରେ ପ୍ରଭୁ ଯୀଶୁଙ୍କ ଜନ୍ମ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, "ଦିଲ୍ଲୀର ଦି କ୍ୟାଥେଡ୍ରାଲ୍ ଚର୍ଚ୍ଚ ଅଫ୍ ଦି ରିଡେମ୍ପସନ୍ରେ ଖ୍ରୀଷ୍ଟମାସ ସକାଳ ପ୍ରାର୍ଥନା ସେବାରେ ଅଂଶଗ୍ରହଣ କରିଛି । ଏହି ସେବା ପ୍ରେମ, ଶାନ୍ତି ଏବଂ କରୁଣାର ଅନନ୍ତ ବାର୍ତ୍ତାକୁ ପ୍ରତିଫଳିତ କରୁଛି। ଖ୍ରୀଷ୍ଟମାସର ଭାବନା ଆମ ସମାଜରେ ସଦ୍ଭାବ ଏବଂ ସଦ୍ଭାବନାକୁ ପ୍ରେରଣା ଦେଉ।"