ଭୁବନେଶ୍ୱର: ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସମ୍ବିତ ଯାହା କହିଛନ୍ତି ଠିକ୍ କହିଛନ୍ତି, ପାଣ୍ଡିଆନ୍ ଆମ ନେତା ନୁହଁନ୍ତି । ଆମର ଜଣେ ନେତା ନବୀନ ପଟ୍ଟନାୟକ।
ବିଜେଡିର କିଛି ପରାଜିତ ଏବଂ ଅସନ୍ତୁଷ୍ଟ ନେତା ଏକାଠି ଭୋଜିଭାତ କରିବା ପରେ ସୃଷ୍ଟି ହୋଇଥିବା ଚର୍ଚ୍ଚା ଏବଂ ଦଳ ଭିତରେ ଗୋଷ୍ଠୀକନ୍ଦଳ ରହିଥିବା ନେଇ ହେଉଥିବା ଆଲୋଚନା ଥମିବାର ନାଁ ନେଉନାହିଁ। ଭି.କେ. ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନଙ୍କୁ ବିଜେଡି ସଭାପତି କରାଯିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ବିଜେଡି ନେତା ସମ୍ବିତ ରାଉତରାୟ ପ୍ରଥମେ ମୁହଁ ଖୋଲିଥିଲେ। ପାଣ୍ଡିଆନ ଆମ ନେତା ନୁହନ୍ତି ବୋଲି ସମ୍ବିତ କହିଥିଲେ। ଏବେ ସମ୍ବିତଙ୍କୁ ସମର୍ଥନ କରିଛନ୍ତି ପ୍ରମିଳା ମଲ୍ଲିକ। ସେ ବି ଏକସ୍ବରରେ କହିଛନ୍ତି, ପାଣ୍ଡିଆନ ଆମ ନେତା ନୁହନ୍ତି। ଆଜି ପ୍ରମିଳା କହିଛନ୍ତି, ସମ୍ବିତ ଯାହା କହିଛନ୍ତି ଠିକ୍ କହିଛନ୍ତି। ପାଣ୍ଡିଆନ ଆମ ନେତା ନୁହନ୍ତି। ଆମର ଜଣେ ନେତା ନବୀନ ପଟ୍ଟନାୟକ। ଦଳରେ ଗୋଷ୍ଠୀ କନ୍ଦଳ ନାହିଁ। ସମସ୍ତେ ଠିକ୍ ଏବଂ ସଂଗଠିତ ଅଛନ୍ତି। କିଛି ନେତାଙ୍କ ଭୋଜିଭାତକୁ ଗୋଷ୍ଠୀକନ୍ଦଳ କହିବା ଠିକ୍ ନୁହେଁ।
ସୂଚନାଯୋଗ୍ୟ, ନିକଟରେ ବିଜେଡିର କିଛି ପରାଜିତ ଏବଂ ଅସନ୍ତୁଷ୍ଟ ନେତା ଏକାଠି ହୋଇ ଭୋଜିଭାତ କରିଥିଲେ। ତାହାକୁ ନେଇ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା। ନେତାମାନେ ଏକାଠି ହୋଇ ଆଞ୍ଚଳିକ ଦଳ ଗଠନ ପାଇଁ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ଏହି ଭୋଜିଭାତ ପରେ ଗତକାଲି ସମ୍ବିତ ରାଉତରାୟ କହିଥିଲେ ଯେ, ୨୦୨୬ରେ ବହୁତ କିଛି ହେବାକୁ ଯାଉଛି। ନିର୍ବାଚନରେ ଅନେକ କିଛି ଘଟଣା ଘଟିଗଲା। ଦୂର ନେତାଙ୍କ ସହ ଦେଖା ହୋଇ ନ ଥିଲା, ସେଥିପାଇଁ ଭୋଜିର ଆୟୋଜନ କରାଯାଇ ଭେଟଘାଟ ହୋଇଥିଲା। ତେବେ ଏହା କୌଣସି ମେଳି ନ ଥିଲା ବୋଲି ସେ କହିଛନ୍ତି। ତେବେ ପାଣ୍ଡିଆନଙ୍କୁ ନେଇ ସମ୍ବିତ କହିଥିଲେ, ସରକାର ଥିବା ବେଳେ ସେ ଗୋଟିଏ ଫ୍ୟାକ୍ଟର ଥିଲେ, ଜଣେ ଗୁଡ୍ ମ୍ୟାନେଜର ଭାବେ । କିନ୍ତୁ ନେତା ହିସାବରେ ଆମେ ତାଙ୍କୁ କେବେ ମାନି ନାହୁଁ ବୋଲି ସମ୍ବିତ କହିଥିଲେ। ଆଜି ତାଙ୍କ ବୟାନକୁ ସମର୍ଥନ କରି ସମାନ କଥା ଦୋହରାଇଛନ୍ତି ପ୍ରମିଳା ମଲ୍ଲିକ।
ଅଧିକ ପଢନ୍ତୁ: ଜେଲରେ ବିକ୍ରମ ପଣ୍ଡାଙ୍କୁ ଭେଟିଲେ ପ୍ରତାପ ଜେନା