ଭୁବନେଶ୍ୱର: ଭୋଜି ଓ ବନ୍ଧୁ ମିଳନ ନାାଁରେ ବିଜୁ ଜନତା ଦଳ ବଡ଼ ମେଳି କରିଛି । ଦଳର ବହୁ ଆଗଧାଡ଼ିର ନେତାଙ୍କୁ ନେଇ ଭୁବନେଶ୍ୱର ଉପକଣ୍ଠରେ ଜମିଛି ଭୋଜିର ଆସର । ଆଜିଠାରୁ ନୂଆ ସମୀକରଣ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଭୁ ଜାନି ।
ବିଜୁ ଜନତା ଦଳ ପକ୍ଷରୁ ଆଜି ବଡ଼ ମେଳି ହୋଇଛି । ଭୁବନେଶ୍ୱର ଉପକଣ୍ଠ ଝୁମୁକାଠାରେ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ବିଜେଡ଼ିର ୫୦ରୁ ଅଧିକ ନେତା ଏକାଠି ଦେଖିବାକୁ ମିଳିଥିଲା । ଭୋଜିରେ ଦେବାଶିଷ ସାମନ୍ତରାୟ, ପ୍ରୀତିରଞ୍ଜନ ଘଡ଼େଇ, ରାଜେନ୍ଦ୍ର ସାହୁ, ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ, ଲତିକା ପ୍ରଧାନ, ପ୍ରଭୁ ଜାନୀ, ସଞ୍ଜୟ ଦାସବର୍ମା ଓ ମହିଧର ରଣା ପ୍ରମୁଖ ଯୋଗ ଦେଇଥିଲେ ।
ସେଠାରେ ସାମ୍ବାଦିକଙ୍କୁ ଦେଖି ତାତି ଯାଇଥିଲେ ରାଜେନ୍ଦ୍ର ସାହୁ । ସାମ୍ବାଦିକମାନଙ୍କ ଉପରେ ବର୍ଷିଥିଲେ ରାଜେନ୍ଦ୍ର । ଏହା ସହିତ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ । କୌଣସି ନକରାତ୍ମକ ଚର୍ଚ୍ଚା ନ କରିବାକୁ କହିଥିଲେ । ବନ୍ଧୁ ମିଳନ ହେଲା, ଆମର ନିଜର ଅଧିକାର ନାହିଁ କି ବୋଲି ପ୍ରଶ୍ନ କରିଥିଲେ । ରାଜନୀତିଆ ଲୋକ ବୋଲି କଣ ଛୁଆଁ ହୋଇଯାଇଛି । କାହିଁକି ଭୁଲ ଅର୍ଥରେ ନେଉଛ ବୋଲି କହିଥିଲେ । ବିଗତ ୧୬-୧୭ ମାସ ଭିତରେ ୮ ରୁ ୧୦ ଥର ଭୋଜି ଭାତ କରିଛୁ । ସବୁଥିରେ ସାମ୍ବାଦିକମାନେ ଆପତ୍ତି କରିଛନ୍ତି । ସାମ୍ବାଦିକଙ୍କୁ ସମ୍ମାନ ଦେବାରେ କୌଣସି ଅବହେଳା କରି ନାହୁଁ ବୋଲି କହିଥିଲେ ରାଜେନ୍ଦ୍ର ।
ସେହିପରି ସମ୍ବିତ ରାଉତରାୟ ରାଜନୀତି ଆଲୋଚନା ହୋଇନଥିବା କହି ସଫେଇ ଦେଇଥିଲେ । ସାହୁକାର ଠିଆ ହେଲେ ବେପାର କଥା ଆଲୋଚନା ହେବ, ସେହିପରି ରାଜନେତା ଏକାଠି ହେଲେ ରାଜନୀତି କଥା ଆଲୋଚନା ହେବ, ଏଥିରେ ବ୍ୟତିକ୍ରମ ନାହିଁ । କିନ୍ତୁ ଏଥିରେ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ । ନିଜର ଚିତ୍ତ ବିନୋଦନ ପାଇଁ ଏସବୁ କରାଯାଇଛି । ନେତୃତ୍ୱ ବିଷୟରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ।