ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦ୍ୱାରା ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହି ଏହାକୁ ରଦ୍ଦ କରାଯାଇଛି । ଏହା ପରେ ପ୍ରଥମ ଆର୍ଥିକ ବର୍ଷରେ ରାଜନୈତିକ ଦଳଗୁଡିକୁ ମିଳିଥିଲା ନିର୍ବାଚନୀ ଚାନ୍ଦାର ଚିତ୍ର ସାମ୍ନାକୁ ଆସିଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ନଅ ନିର୍ବାଚନୀ ଟ୍ରଷ୍ଟ ମୋଟ୍ ୩ ହଜାର ୮୧୧ କୋଟି ଟଙ୍କାର ଚାନ୍ଦା ରାଜନୈତିକ ଦଳଗୁଡିକୁ ଦେଇଛନ୍ତି । ଏଥିରୁ ଏକାକୀ ୩ ହଜାର ୧୧୨ କୋଟି ଟଙ୍କା ଏକାକୀ ବିଜେପିକୁ ମିଳିଛି । ଏହା ମୋଟ୍ ଚାନ୍ଦାର ପ୍ରାୟ ୮୨ ପ୍ରତିଶତ ହେବ । ନିର୍ବାଚନୀ ଆୟୋଗକୁ ଟ୍ରଷ୍ଟଗୁଡିକୁ ଦେଇଥିବା ବିବରଣୀରୁ ଜଣା ପଡିଛି ଯେ, କଂଗ୍ରେସକୁ ମାତ୍ର ୨୯୯ କୋଟି ଟଙ୍କା ମିଳିଛି । ବାକି ଅନ୍ୟ ଦଳଗୁଡିକୁ ଅବଶିଷ୍ଟ ୪୦୦ କୋଟି ଟଙ୍କା ମିଳିଛି ।
ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗ ନିକଟରେ ୧୯ ପଞ୍ଜିକୃତ ନିର୍ବାଚନୀ ଟ୍ରଷ୍ଟ ମଧ୍ୟରୁ ୧୩ ଟ୍ରଷ୍ଟ ଚାନ୍ଦାର ବିବରଣୀ ପ୍ରଦାନ କରିଛନ୍ତି । ଏଥିରୁ ୯ଟି ଟ୍ରଷ୍ଟ ୩ ହଜାର ୮୧୧ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି, ଯାହା ୨୦୨୩-୨୪ରେ ଦିଆଯାଇଥିବା ୧୨୧୮ କୋଟି ଟଙ୍କା ତୁଳନାରେ ୨୦୦ ପ୍ରତିଶତ ଅଧିକ । ଚାରି ଟ୍ରଷ୍ଟ ଜନହିତ, ପରିବର୍ତ୍ତନ, ଜୟ ହିନ୍ଦ ଓ ଜୟଭାରତ ୨୦୨୪-୨୫ ପାଇଁ କୌଣସି ଚାନ୍ଦା ଦେଇ ନାହାନ୍ତି ।
ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ବିଜେପି ପାଇଁ ସବୁଠୁ ବଡ ଦାନଦାତା ପାଲଟିଛି । ଏହି ଟ୍ରଷ୍ଟ ୨୦୨୪-୨୫ରେ ମୋଟ୍ ୨୬୬୮ କୋଟି ଟଙ୍କାର ଚାନ୍ଦା ଦେଇଛି । ଏଥିରୁ ୨,୧୮୦ କୋଟି ଟଙ୍କାର ପ୍ରାୟ ୮୨ ପ୍ରତିଶତ ବିଜେପିକୁ ମିଳିଛି । ଏହି ଟ୍ରଷ୍ଟକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ, ଭାରତୀ ଏୟାରଟେଲ୍, ଅରୋବିନ୍ଦ ଫାର୍ମା, ଟୋରେଣ୍ଟ ଫାର୍ମାସ୍ୟୁଟିକଲ୍ସ ପରି ବଡ କମ୍ପାନିରୁ ଫଣ୍ଡ ମିଳିଛି । ଟ୍ରଷ୍ଟ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି, ତେଲୁଗ ଦେଶମ ପାର୍ଟି ଓ ଅନ୍ୟ ଦଳକୁ ଚାନ୍ଦା ମଧ୍ୟ ଦେଇଛନ୍ତି ।
Also read: ଜୋହାନ୍ସବର୍ଗରେ ଭୀଷଣ ଗୁଳିକାଣ୍ଡ, ପଥଚାରୀଙ୍କୁ ଟାର୍ଗେଟ୍ କଲା ଆତତାୟୀ, ୧୦ ମୃତ