ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବଡ ଧରଣର ଗୁଳିକାଣ୍ଡ ଘଟିଛି । ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଏଥିରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଅଜଣା ବନ୍ଧୁକଧାରୀ ଜୋହାନ୍ସବର୍ଗ ନିକଟ ଏକ ଗାଁରେ ଏହି କାଣ୍ଡ ଭିଆଇଛି । ଆକ୍ରମଣର କାରଣ ଜଣା ପଡି ନ ଥିବା ପୋଲିସ କହିଛି ।
ପୋଲିସ ଅନୁଯାୟୀ, ଜୋହାନ୍ସବର୍ଗଠୁ ୪୦ କିଲୋମିଟର ଦୂର ଏକ ଗାଁରେ ମଦ କାରଖାନା ନିକଟରେ ଘଟିଛି । ଆକ୍ରମଣକାରୀ ଅଚାନକ ରାସ୍ତାରେ ଯାଉଥିବା ଲୋକଙ୍କୁ ଟାର୍ଗେଟ୍ କରି ଗୁଳିମାଡ ଆରମ୍ଭ କରିଥିଲା । କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା । ଲୋକେ ଜୀବନ ବିକଳରେ ଦୌଡିବାରେ ଲାଗିଲେ । ଗୁଳିମାଡରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟୁନ ୧୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ରିପୋର୍ଟ ଅନୁଯାୟୀ, ଏହାର ଆଖପାଖ ଅଞ୍ଚଳରେ ସୁନାର ଖଣି ରହିଛି । ବଡ ସଂଖ୍ୟାରେ ଶ୍ରମିକ ଏଠାରେ କାମ କରନ୍ତି । ଅଞ୍ଚଳରେ ବେଆଇନ ମଦ କାରବାର ହୁଏ । ସେଠାକାର ପୋଲିସ କମିଶନର କହିଛନ୍ତି, ଲୋକଙ୍କୁ ପଚରା ଉଚୁରା କରାଯାଉଛି । ଘଟଣାସ୍ଥଳରେ ଅପରାଧ ଓ ଗୁଇନ୍ଦା ବିଭାଗର ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ଦକ୍ଷିଣ ଆଫ୍ରିକାରେ ଅନେକ ଗୁଳିକାଣ୍ଡ ଘଟିଲାଣି । ଡିସେମ୍ବର ୬ରେ କିଛି ବନ୍ଧୁକଧାରୀ ଏକ ହଷ୍ଟେଲ ଉପରେ ହମଲା କରିଥିଲେ । ଏଥିରେ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଦକ୍ଷିଣ ଆଫ୍ରିକାରେ ବେଆଇନ ମଦ କାରବାର ଚରମରେ ରହିଛି ।
Also read: ଜଣେ ମୋଦୀ ଯଥେଷ୍ଟ, ନିଜକୁ ହନୁମାନ ଭଳି ସେବାକାରୀ କହିଲେ ଜୟଶଙ୍କର