ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼। ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡର ଏହା ଦ୍ୱିତୀୟ ଘଟଣା। ମିଳିଥିବା ସୂଚନା ଅନୁସାରେ, ପୋଲିସର କହିବା କଥା ଯେ ସହରରୁ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ବେକର୍ସଡେଲରେ ହୋଇଥିବା ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହେଲେ କିଛି ଅଜ୍ଞାତ ବନ୍ଧୁକଧାରୀ ରାସ୍ତାରେ ଥିବା ଲୋକଙ୍କ ଉପରେ ଅଚାନକ ଗୁଳିଚାଳନା ଆରମ୍ଭ କରିଥିଲେ, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା।
ଗାଉତେଙ୍ଗ ପ୍ରଜାତନ୍ତ୍ରର ପୋଲିସ ମୁଖପାତ୍ର ବ୍ରିଗେଡିୟର ବ୍ରେଣଅଡା ମୁରିଦିଲି କହିଛନ୍ତି- ଏହି ଘଟଣା ପଛରେ ଥିବା ପ୍ରକୃତ କାରଣ ଜଣାପଡିନାହିଁ। ଅପରାଧୀଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଦକ୍ଷିଣ ଆଫ୍ରିକାର ପ୍ରମୁଖ ସୁନା ଖଣି ଅଞ୍ଚଳ ଭାବେ ପରିଗଣିତ ବେକେର୍ସଡାଲ ଇଲାକାରେ ଏହି ଗୁଳିକାଣ୍ଡ ଘଟିଛି। ପୁଲିସ କହିଛି ଯେ ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଛି। ଏହାସହିତ ଗୁଳିକାଣ୍ଡ ଏପରି ଏକ ସ୍ଥାନରେ ଘଟିଥିଲା ଯେଉଁଠାରେ ବେଆଇନ ଭାବରେ ମଦ ବିକ୍ରି ହେଉଥିଲା।
ଗତ ଡିସେମ୍ବର ୬ରେ ପ୍ରିଟୋରିଆରେ ଘଟିଥିବା ଘଟିଥିବା ଗୁଳିମାଡ ଘଟଣାରେ ଜଣେ ଶିଶୁ ସମେତ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ୬୩ ନିୟୁତ ଜନସଂଖ୍ୟାବିଶିଷ୍ଟ ଦକ୍ଷିଣ ଆଫ୍ରିକାରେ ବିଶ୍ବରେ ସର୍ବାଧିକ ହତ୍ୟାକାଣ୍ଡ ଘଟିଚାଲିଛି।
ଅଧିକ ପଢନ୍ତୁ: ଅଡୁଆରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍; ଦୁର୍ନୀତି ମାମଲାରେ ପତ୍ନୀ ବୁଶରା ବିବିଙ୍କ ସହ ମିଳିଲା ୧୭ ବର୍ଷ ଜେଲ୍ ଦଣ୍ଡାଦେଶ