ନୂଆଦିଲ୍ଲୀ: ପଡୋଶୀ ପାକିସ୍ତାନ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ପାଇଁ କେବଳ ଦୁନିଆରେ ଅପଦସ୍ଥ ହେଉନି ବରଂ ନିଜ ଦେଶର ଭିକାରୀଙ୍କୁ ନେଇ ମଧ୍ୟ ବେଶ ନିନ୍ଦିତ ହେଉଛି । ଏଥିରେ ବ୍ୟତିବ୍ୟସ୍ତ ହୋଇ ବିଭିନ୍ନ ଦେଶରୁ ହଜାର ହଜାର ପାକିସ୍ତାନୀ ନାଗରିକଙ୍କୁ ଭିକ ମାଗୁଥିବା ଅଭିଯୋଗରେ ବହିଷ୍କାର କରାଯାଇଛି । ହଜାର ସଂଖ୍ୟକ ପାକିସ୍ତାନୀଙ୍କୁ ବେଆଇନ ଯାତ୍ରା ସନ୍ଦେହରେ ବିମାନ ବନ୍ଦରରେ ଅଟକ ରଖା ଯାଇଛି । ପାକିସ୍ତାନର ଏଫଆଇଏର ମହାନିର୍ଦ୍ଦେଶକ ରିଫତ ମୁଖତାର ରାଜା ଏହି ସୂଚନା ଦେଇଛନ୍ତି । ସେ କମିଟିକୁ ଜଣାଇଛନ୍ତି ଯେ, ଏହି ବର୍ଷ ୫୧ ହଜାର ପାକିସ୍ତାନୀଙ୍କୁ ଅନ୍ୟ ଦେଶରେ ପ୍ରବେଶ କରିବାକୁ ଦିଆଗଲା ନାହିଁ ।
ସେ କହିଛନ୍ତି, ସାଉଦି ଆରବରୁ ନିର୍ବାସନ ସଂଖ୍ୟା ସବୁଠୁ ଅଧିକ ରହିଛି । ଏହି ଦେଶରେ ଭିକ ମାଗିବା ଅଭିଯୋଗରେ ୨୪ ହଜାର ପାକିସ୍ତାନୀଙ୍କୁ ପାକିସ୍ତାନ ପଠାଇ ଦିଆଯାଇଛି । ୟୁଏଇ ମଧ୍ୟ ଏହି ଆଧାରରେ ୬ ହଜାର ପାକିସ୍ତାନୀଙ୍କୁ ନିର୍ବାସିତ କରିଥିବା ବେଳେ ଆଜାରବୈଜାନ ପ୍ରାୟ ୨୫୦୦ ଭିକାରୀଙ୍କୁ ନିଜ ଦେଶରୁ ବହିଷ୍କାର କରିଛି । ଏହି ଆଧାରରେ ୟୁରୋପ ଯିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ମଧ୍ୟ ଅଟକାଇ ଦିଆଯାଇଛି ।
ରିଫତ ମୁଖତାର କହିଛନ୍ତି, ପ୍ରମାଣ ଆଧାରରେ ଏମିତି ଯାତ୍ରୀଙ୍କୁ ପ୍ରବେଶରୁ ବଞ୍ଚିତ କରାଯାଇଛି । ଚଳିତ ବର୍ଷ ୨୪ ହଜାର ପାକିସ୍ତାନୀ କମ୍ବୋଡିଆ ଯାଇଛନ୍ତି । ଏଥିରୁ ୧୨ ହଜାର ଏ ପର୍ଯ୍ୟନ୍ତ ଫେରି ନାହାନ୍ତି । ୪ ହଜାର ଲୋକ ମିଆଁମାର ପର୍ଯ୍ୟଟକ ଭିସାରେ ଯାଇଛନ୍ତି । ଏଥିରୁ ପ୍ରାୟ ୨୫୦୦ ଫେରି ନାହାନ୍ତି । ଏଫଆଇଏ ନିର୍ଦ୍ଦେଶକ କହିଛନ୍ତି, କଡା ନିୟନ୍ତ୍ରଣ ଉପାୟ କାରଣରୁ ପାକିସ୍ତାନର ପାସପୋର୍ଟ ମାନ୍ୟତାରେ ସୁଧାର ଆସିଛି ଏବଂ ଏହା ୧୧୮ ତମ ସ୍ଥାନରୁ ୯୨ତମ ସ୍ଥାନକୁ ଆସିଛି ।
Also read: ଘନ କୁହୁଡି ଯୋଗୁଁ ସାରା ଦେଶରେ ଉଡାଣ ପ୍ରଭାବିତ, ଟ୍ରାଭେଲ ଆଡଭାଇଜରି ଜାରି କଲା ଏୟାର ଇଣ୍ଡିଆ ଓ ଇଣ୍ଡିଗୋ