ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଖେଳାଯିବ ଟି-୨୦ ବିଶ୍ୱକପ୍ ୨୦୨୬ । ବିଶ୍ୱକପ୍ ପାଇଁ ଶନିବାର ଅର୍ଥାତ ଆଜି ଭାରତୀୟ ଦଳ ଘୋଷଣା କରାଯିବ । ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ) ଗତକାଲି ପ୍ରେସ ରିଲିଜ୍ ଜାରି କରି ଜଣାଇଛି ଯେ, ଟି-୨୦ ବିଶ୍ୱକପ୍ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଡିସେମ୍ବର ୨୦ ତାରିଖରେ ଦଳ ଘୋଷଣା କରାଯିବ । ଆଜି ଅପରାହ୍ନ ୧ଟା ୩୦ର ଏହା ଘୋଷଣା କରାଯିବ । ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ।
ଟି-୨୦ ବିଶ୍ୱକପ୍ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବ । ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେଉଥିବା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପ୍ରବଳ ଦାବିଦାର ରହିଛି । ଟିମ୍ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ ମଧ୍ୟ । ୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଥିଲା ।
ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତରେ ଆସି ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ । ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ । ଦିନିକିଆ ସିରିରୁ ନ୍ୟୁଜିଲାଣ୍ଡ ଦଳର ଭାରତ ଗସ୍ତ ଆରମ୍ଭ ହେବ । ପ୍ରଥମ ଦିନିକିଆ ଜାନୁଆରୀ ୧୧ରେ ଭଦୋଦରା, ଦ୍ୱିତୀୟ ୧୪ରେ ରାଜକୋଟ୍ ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୮ରେ ଇନ୍ଦୋରରେ ଖେଳାଯିବ ।
ଦିନିକିଆ ସିରିଜ୍ ପରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ । ଏହି ସିରିଜ୍ ଜାନୁଆରୀ ୨୧ ତାରିଖରେ ନାଗପୁରରେ ଆରମ୍ଭ ହେବ। ଦ୍ୱିତୀୟ ଟି୨୦ ଜାନୁଆରୀ ୨୩ ତାରିଖରେ ରାୟପୁରରେ ଖେଳାଯିବ। ତୃତୀୟ ମ୍ୟାଚ୍ ଜାନୁଆରୀ ୨୫ ତାରିଖରେ ଗୌହାଟୀରେ ଖେଳାଯିବ। ଚତୁର୍ଥ ଟି୨୦ ଜାନୁଆରୀ ୨୮ ତାରିଖରେ ଭାଇଜାଗରେ ଏବଂ ଶେଷ ଟି୨୦ ଜାନୁଆରୀ ୩୧ ତାରିଖରେ ତିରୁଅନନ୍ତପୁରମରେ ଖେଳାଯିବ।
ଏହି ୧୫ ଜଣଙ୍କୁ ମିଳିପାରେ ବିଶ୍ୱକପ ଦଳରେ ସ୍ଥାନ
ସୂର୍ଯ୍ୟକୁମାର ଯାଦବ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଅଧିନାୟକ ରହିବାର ଯଥେଷ୍ଟ ସମ୍ଭାବାନ ରହିଛି। ଉପ-ଅଧିନାୟକ ଶୁଭମନ ଗିଲ୍ ଯଦି ଫିଟ୍ ହୁଅନ୍ତି ତେବେ ତାଙ୍କର ଖେଳିବା ନିଶ୍ଚିତ। ଟି-୨୦ରେ ନମ୍ବର-୧ ବ୍ୟାଟର ଅଭିଷେକ ଶର୍ମା ସହିତ ତିଲକ ବର୍ମାଙ୍କ ଦଳରେ ସ୍ଥାନ ପକ୍କା ରହିଛି । ସଞ୍ଜୁ ସାମସନ ଏବଂ ଜିତେଶ ଶର୍ମା ଦୁଇ ୱିକେଟକିପର ଭାବରେ ଦଳରେ ରହିବାର ସମ୍ଭାବନା ଅଛି।
ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଏବଂ ଶିବମ୍ ଦୁବେ ମଧ୍ୟ ଅଲରାଉଣ୍ଡର ଭାବରେ ଦଳରେ ରହିବା ନିଶ୍ଚିତ। ତୃତୀୟ ଦ୍ରୁତ ବୋଲର ଭାବେ ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ ଯଶପ୍ରୀତ ବୁମରାଙ୍କ ସହ ଦଳରେ ସ୍ଥାନ ପାଇ ପାରନ୍ତି । କାରଣ ସେ ପୂର୍ବ ମ୍ୟାଚ୍ଗୁଡ଼ିକରେ ଭଲ ବୋଲିଂ କରିଛନ୍ତି। ଭାରତୀୟ ପିଚ୍ରେ ସ୍ପିନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି । ତେଣୁ କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଦଳରେ ରହିବାର ସମ୍ଭାବନା ଅଛି।
ଟି-୨୦ ବିଶ୍ୱକପ୍ ପାଇଁ ସମ୍ଭାବିତ ୧୫ ଜଣିଆ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ (ୱିକେଟ୍ କିପର), ଜିତେଶ ଶର୍ମା (ୱିକେଟ୍ କିପର), ଅକ୍ଷର ପଟେଲ, ଶିବମ୍ ଦୁବେ, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ଅର୍ଶଦୀପ ସିଂ।
Also read: ତିଳକ-ହାର୍ଦ୍ଦିକଙ୍କ ବିସ୍ଫୋରଣ ପରେ ବରୁଣଙ୍କ ଚକ୍ରବ୍ୟୁହ, ଦ. ଆଫ୍ରିକା ବିପକ୍ଷରେ ୩-୧ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ