ଅହମ୍ମଦାବାଦ: ଭାରତ ପଞ୍ଚମ ଟି-୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ପରାସ୍ତ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଜିତି ନେଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ପଞ୍ଚମ ତଥା ଶେଷ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୩୧ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ କେବଳ ୨୦୧ ରନ୍ କରିପାରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବୋଲିଂରେ ବରୁଣ ଚକ୍ରବର୍ତ୍ତୀ ଭାରତର ସବୁଠାରୁ ସଫଳ ବୋଲର ଭାବେ ଚାରିଟି ୱିକେଟ୍ ନେଇଥିଲେ।
ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଦଳ ପାଇଁ ବୁମେରାଂ ପାଲଟିଥିଲା । ଶୁଭମନ ଗିଲ୍ଙ୍କ ଅନୁପସ୍ଥିତିରେ, ସଞ୍ଜୁ ସାମସନ୍ ଅଭିଷେକ ଶର୍ମାଙ୍କ ସହିତ ଇନିଂସ୍ ଓପନ କରିଥିଲେ। ସିରିଜରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳୁଥିବା ସାମସନ୍ ଏହି ସୁଯୋଗର ଫାଇଦା ଉଠାଇ ୨୨ ବଲରେ ୩୭ ରନ୍ କରିଥିଲେ। ଅଭିଷେକ ଶର୍ମା ମଧ୍ୟ ୩୪ ରନ୍ କରିଥିଲେ।
ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ଟି-୨୦ ମ୍ୟାଚରେ ୨୫ ବଲରେ ୬୩ ରନର ଧୂଆଁଧାର ଇନିଂସ ଖେଳିଥିଲେ। ସେ ୧୬ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ଇତିହାସରେ ଜଣେ ଭାରତୀୟ ବ୍ୟାଟରଙ୍କ ଦ୍ୱାରା ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ତିଲକ ବର୍ମା ୪୨ ବଲରେ ୭୩ ରନ୍ କରିଥିଲେ, ଯାହା ଭାରତକୁ ୨୩୧ ରନରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା।
୨୩୨ ରନର ଲକ୍ଷ୍ୟ ପିଛା କରି ଦକ୍ଷିଣ ଆଫ୍ରିକା କ୍ୱିଣ୍ଟନ୍ ଡି କକ୍ଙ୍କ ଦମଦାର ବ୍ୟାଟିଂ ବଳରେ ଭଲ ଆରମ୍ଭ କରିଥିଲା। ହେଣ୍ଡ୍ରିକ୍ସ ମାତ୍ର ୧୩ ରନରେ ଆଉଟ୍ ହୋଇଥିଲେ, କିନ୍ତୁ ଡି କକ୍ଙ୍କ ଝଡ଼ ଯୋଗୁଁ ଦକ୍ଷିଣ ଆଫ୍ରିକା ପାୱାରପ୍ଲେରେ କୌଣସି ୱିକେଟ୍ ନ ହରାଇ ୬୭ ରନ୍ କରିଥିଲା। ୧୦ ଓଭର ପରେ ଦକ୍ଷିଣ ଆଫ୍ରିକା ୧୧୮ ରନ୍ରେ ପହଞ୍ଚିଥିଲା, କିନ୍ତୁ ୧୧ତମ ଓଭରରେ ଯଶପ୍ରୀତ ବୁମରା ଡି କକ୍ଙ୍କୁ ଆଉଟ୍ କରିଥିଲେ । ଡିକକ ୬୫ ରନର ବିସ୍ଫୋରକ ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ଡି କକ୍ ୩୫ ବଲରେ ୬୫ ରନ୍ କରିଥିଲେ।
ଏହା ପରେ ଦକ୍ଷିଣ ଆଫ୍ରିକାର ରନ୍ହାର ମନ୍ଥର ହେବାକୁ ଲାଗିଲା। ଡି କକ ଙ୍କ ଆଉଟ୍ ପରେ, ଦକ୍ଷିଣ ଆଫ୍ରିକା ପରବର୍ତ୍ତୀ ପାଞ୍ଚ ଓଭରରେ କେବଳ ୩୮ ରନ କରିପାରିଥିଲା, ଯାହା ଦଳକୁ ବିଜୟ ଲକ୍ଷ୍ୟଠୁ ବହୁତ ଦୂରରେ ରଖିଥିଲା। ଦକ୍ଷିଣ ଆଫ୍ରିକାର ମଧ୍ୟମ ଏବଂ ନିମ୍ନ କ୍ରମ ବ୍ୟାଟିଂ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।
ବରୁଣ ଚକ୍ରବର୍ତ୍ତୀ ଭାରତର ସବୁଠାରୁ ସଫଳ ବୋଲର ଥିଲେ। ସେ ମହଙ୍ଗା ହୋଇଥିଲେ ହେଁ ଚାରି ଓଭରରେ ୫୩ ରନ ଦେଇ ଚାରି ଜଣ ଦକ୍ଷିଣ ଆଫ୍ରିକୀୟ ବ୍ୟାଟରଙ୍କୁ ଆଉଟ୍ କରିଥିଲେ। ବରୁଣ ତାଙ୍କ ସ୍ପେଲର ଶେଷ ଓଭରରେ ତିନୋଟି ଛକା ସହିତ ୨୧ ରନ ଦେଇଥିଲେ। ବରୁଣ ଚକ୍ରବର୍ତ୍ତୀ ଏହି ବର୍ଷ ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି।