ଯାଜପୁର: ରାଜ୍ୟରେ ଏକ ନୂଆ ଆଞ୍ଚଳିକ ରାଜନୀତିକ ଦଳ ଗଠନ ଚର୍ଚ୍ଚା ଜୋରଦାର ଜାରି ରହିଛି । ଆଉ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ ।
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ କୁଆଖିଆଠାରେ କଂଗ୍ରେସର ପୂର୍ବତନ ନେତା ମୋକିମ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବା ପରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଏଥିରେ ବହୁ ସ୍ଥାନୀୟ ନେତା ସାମିଲ ଥିଲେ । ନୂଆ ରାଜନୈତିକ ଦଳ ଗଠନ ପାଇଁ ଆଲୋଚନା ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ବୈଠକ ପରେ ମୋକିମ ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସରେ ଅନେକ ନେତା ଓ କର୍ମୀ ଅବହେଳିତ ଥିବା ଅନୁଭବ ହୋଇଛି । ବିଜେଡିର ଅନେକ ନେତୃତ୍ୱ ମଧ୍ୟ ସମାନ ସ୍ଥିତିରେ ଅଛନ୍ତି । ବିଜୟ ମହାପାତ୍ରଙ୍କଠୁ ଆରମ୍ଭ କରି ଅନେକ ପୁରୁଖାଙ୍କ ସହ ଆଲୋଚନା ଜାରି ରହିଛନ୍ତି । ସମସ୍ତଙ୍କ ସହ ଆଲୋଚନା, ପରାମର୍ଶ ପରେ ନୂଆ ଦଳ ଗଢ଼ିବା ଚିନ୍ତା କରାଯିବ ବୋଲି ମୋକିମ କହିଛନ୍ତି ।
ଗତ କିଛି ଦିନ ତଳେ ମହମ୍ମଦ ମୋକିମ ବରିଷ୍ଠ ନେତା ବିଜୟ ମହାପ୍ରାତଙ୍କ ସହିତ ସାକ୍ଷାତ କରିଥିଲେ । ଉଭୟ ନୂଆ ଦଳ ଗଠନ ପ୍ରଶ୍ନକୁ ଏଡ଼ାଇ ଦେଇ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା ବୋଲି କହିଥିଲେ ।