ସମ୍ବଲପୁର : ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ଗତକାଲି ରେଡ୍ ବେଳେ ବାବୁଙ୍କ ୧୬ଟି ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ। ବରଗଡ଼ ଓ ସମ୍ବଲପୁରରେ କୋଠାଘର ସହ ଗୋଟିଏ କାର୍ ଠାବ କରିଥିଲା ଭିଜିଲାନ୍ସ।
ସୂଚନା ଅନୁଯାୟୀ ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସେଟେଲମେଣ୍ଟ (ବନ୍ଦୋବସ୍ତ) ଅଫିସରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ (SRA)ବାସୁଦେବ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା ।
ରେଡ୍ ସମୟରେ ବରଗଡ଼ରେ ୪୦୦୦ ବର୍ଗଫୁଟର ଏକ ଦୁଇମହଲା କୋଠା, ସମ୍ବଲପୁରର ଚାରଭାଟିରେ ୧୭୦୦ ବର୍ଗଫୁଟର ଗୋଟିଏ କୋଠା, ବରଗଡ଼ ସହରରେ ୧୨, ସମ୍ବଲପୁର ସହରରେ ୩ଟି ଏବଂ ସମ୍ବଲପୁର ଉପକଣ୍ଠରେ ଗୋଟିଏ ସମେତ ୧୬ଟି ମୂଲ୍ୟବାନ ପ୍ଲଟ୍ ଠାବ କରାଯାଇଛି। ସେହିପରି ୧୧.୫୬ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୧୧ ଲକ୍ଷ ଟଙ୍କାର ଗୋଟିଏ ଚାରି ଚକିଆ ଏବଂ ୪ଟି ଦୁଇ ଚକିଆ ଯାନ ମଧ୍ୟ ଠାବ କରାଯାଇଛି। ପାଖାପାଖି ୬.୦୭ ଲକ୍ଷ ଟଙ୍କାର ଘରଉପକରଣ ମଧ୍ୟ ରହିଛି।
ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୨ ଜଣ DSP, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲେ।
ବାସୁଦେବ ଭୋଇ ୧୯୮୯ ମସିହା ସେପ୍ଟେମ୍ୱର ୧୨ ତାରିଖରେ ଭବାନୀପାଟଣାର ସେଟେଲମେଣ୍ଟ ଅଫିସରେ ଜୁନିଅର କ୍ଲର୍କ ଭାବରେ ମାସିକ ୭୮୭ ପ୍ରାରମ୍ଭିକ ଦରମା ସହିତ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ତେବେ ୧୯୯୯ ମସିହା ମଇ ୧ ତାରିଖରେ ସିନିୟର କ୍ଲର୍କ(ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ)ଭାବେ ପଦୋନ୍ନତି ପାଇ ସମ୍ବଲପୁର ମେଜର ବନ୍ଦୋବସ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରିଆସୁଥିଲେ।