ନୂଆଦିଲ୍ଲୀ: ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଆନନ୍ଦର ବିଷୟ।
ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ। ଏହି ସମ୍ବିଧାନ ଓଲ୍ ଚିକି ଲିପିରେ ଲେଖାଯାଇଛି। ଏହା ସାନ୍ତାଳୀ ସାମ୍ପ୍ରଦାୟ ଲୋକଙ୍କୁ ନିଜ ଭାଷାରେ ସମ୍ବିଧାନ ପଢ଼ିବା ଏବଂ ବୁଝିବା ପାଇଁ ସକ୍ଷମ କରିବ ବୋଲି ରାଷ୍ଟ୍ରପତି କହିଥିଲେ। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବର୍ଷ ଆମେ ଓଲ୍ ଚିକି ଲିପିର ଶତବାର୍ଷିକୀ ପାଳନ କରୁଛୁ। ଏହି ଅବସରରେ ସେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀଙ୍କୁ ଏଥିପାଇଁ ପ୍ରଶଂସା କରିଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ୍ ଓ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ।
୯୨ତମ ସଂଶୋଧନ ଆଇନ, ୨୦୦୩ ମାଧ୍ୟମରେ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ହୋଇଥିବା ସାନ୍ତାଳୀ ଭାଷା ଭାରତର ସବୁଠାରୁ ପ୍ରାଚୀନ ଜୀବନ୍ତ ଭାଷା ମଧ୍ୟରୁ ଗୋଟିଏ। ଝାଡ଼ଖଣ୍ଡ,ଓଡ଼ିଶା,ପଶ୍ଚିମବଙ୍ଗ ଏବଂ ବିହାରରେ ବହୁ ସଂଖ୍ୟକ ଆଦିବାସୀଙ୍କ ସାନ୍ତାଳୀ ଭାଷା ବ୍ୟବହାର କରନ୍ତି।
ଅଧିକ ପଢନ୍ତୁ: ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ; ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ଭିତରେ ରହିଛି ଓଡ଼ିଶାର ୩, ଦିଲ୍ଲୀକୁ ଟପିଲା ବାଲେଶ୍ୱର