ଭୁୁବନେଶ୍ୱର: ଆଜି ବିଜୁ ଜନତା ଦଳ ପାଳିବ ୨୯ତମ ଜନ୍ମଦିନ । କ୍ଷମତା ହାତରୁ ଖସିବା ପରେ ଦ୍ୱିତୀୟ ଥର ନିଜ ପାର୍ଟିର ପ୍ରତିଷ୍ଠା ଦିବସ ପାଳନ କରିବ ରାଜ୍ୟର ମୁଖ୍ୟ ବିରୋଧୀ ଦଳ । ଏହାର ଆୟୋଜନକୁ ନେଇ ଦଳର ନେତା ଓ କର୍ମୀ ଉତ୍ସାହିତ । ଆଜି ଶଙ୍ଖଭବନରେ ଆୟୋଜିତ ଉତ୍ସବରେ ସାମିଲ୍ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକ । ସେ ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ? ଦଳର ଆଗାମୀ ରଣନୀତିକୁ ନେଇ ତାଙ୍କର ଆଭିମୁଖ୍ୟ କଣ ରହିବ ? ତା ଉପରେ ସଭିଙ୍କ ନଜର ରହିଛି ।
ରାଜ୍ୟରେ ୨୫ ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ସଂପ୍ରତି କଠିନ ସମୟ ଦେଇ ଗତି କରୁଛି । ଦଳରେ ଆଭ୍ୟନ୍ତରୀଣ କନ୍ଦଳ ରହିଛି । ଅନେକ ଜିଲ୍ଲାରେ ଦଳର ସ୍ଥିତି ଦୁର୍ବଳ ହୋଇ ଚାଲିଛି । କର୍ମୀମାନେ ଦଳ ଛାଡୁଛନ୍ତି । ଦଳର ଆଗାମୀ ସଭାପତି କିଏ ହେବ ତାକୁ ନେଇ ପାର୍ଟିର ନେତା ଓ କର୍ମୀ ସମସ୍ତେ ସନ୍ଦୀହାନ । ଖୋଦ୍ ନବୀନ ପଟ୍ଟନାୟକ ମଧ୍ୟ ନିଜ ରାଜନୈତିକ ଜୀବନରେ ସବୁଠୁ ଅଧିକ ଆହ୍ୱାନପୂର୍ଣ୍ଣ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।
ଆଗାମୀ ବର୍ଷେ ପାଇଁ କଣ ରହିବ ବିଜେଡିର ଆଭିମୁଖ୍ୟ ? ସଂଗଠନ ସହ ବିରୋଧି ଦଳର ଭୂମିକା କେମିତି ରହିବ ? ଏ ପ୍ରଶ୍ନ ଭିତରେ ପ୍ରତିଷ୍ଠା ଦିବସରେ ନବୀନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କର ରହିଛି ନଜର । କାରଣ ପ୍ରତିଷ୍ଠା ଦିବସରୁ ହିଁ ଆଗାମୀ ବର୍ଷେ ପାଇଁ ରଣନିତୀ ପ୍ରସ୍ତୁତ ହୋଇଥାଏ ।
ଏହାରି ଭିତରେ ଦଳ ଏବେ ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି । ସବୁଠାରୁ ବଡ ପ୍ରଶ୍ନ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଦଳରେ ଟଣା ଓଟରା ଲାଗିଛି । ଏପଟେ ଗୋଟିଏ ପରେ ଗୋଟିଏ ଗୋଷ୍ଠି ଭୋଜି ଭାତ ନାଁରେ ମେଳି କରି ଶିର୍ଷ ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଉଛନ୍ତି । ଏହାସହ ଗ୍ରାଉଣ୍ଡରେ ବିଜେଡିର ଦୁର୍ଗ ଭୁଷୁଡୁଥିବା ବେଳେ ତୃଣମୂଳ କର୍ମୀଙ୍କୁ କଣ ଦେବେ ବାର୍ତ୍ତା ନବୀନ । ଏହା ଉପରେ ସଭିଙ୍କ ନଜର ରହିଛି । ଏହାରି ଭିତରେ ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି କହିଛନ୍ତି ଦଳର ବରିଷ୍ଠ ଉପସଭାପତି ।