ନୂଆଦିଲ୍ଲୀ: ଆମେରିକା ସେନା ଗୁରୁବାର ରାତିରେ ନାଇଜେରିଆରେ ଆତଙ୍କୀ ସଂଗଠନ ଆଇଏସଆଇଏସର ଆଡ୍ଡାକୁ ଟାର୍ଗେଟ୍ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି । ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଏହି ଆତଙ୍କୀ ଗୋଷ୍ଠୀ ଉକ୍ତ ଅଞ୍ଚଳରେ ଖ୍ରୀଷ୍ଟିୟାନ ସମୁଦାୟକୁ ଟାର୍ଗେଟ୍ କରି ସେମାନଙ୍କ ହତ୍ୟା କରୁଥିଲେ ।
ଟ୍ରମ୍ପ କହିଛନ୍ତି, ତାଙ୍କ ଆଦେଶରେ ଆମେରିକା ସେନା ଆତଙ୍କବାଦୀଙ୍କ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିଛନ୍ତି । ଉତ୍ତର ପଶ୍ଚିମ ନାଇଜେରିଆରେ ସକ୍ରିୟ ଆଇଏସଆଇଏସ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ୍ କରାଯାଇ ଆକ୍ରମଣ କରାଯାଇଛି । ଏହି ଆତଙ୍କୀ ଗୋଷ୍ଠୀ ନିର୍ଦ୍ଦୋଷ ଖ୍ରୀଷ୍ଟିୟାନମାନଙ୍କୁ ନିର୍ମମ ଭାବେ ହତ୍ୟା କରୁଥିଲେ । ଏହି ଧରଣର ହିଂସା ଶତାବ୍ଦୀରେ ଦେଖିବାକୁ ମିଳି ନାହିଁ । ଟ୍ରମ୍ପ କହିଛନ୍ତି ସେ, ପୂର୍ବରୁ ହିଁ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଥିଲେ, ଯଦି ଖ୍ରୀଷ୍ଟିୟାନଙ୍କ ହତ୍ୟା ବନ୍ଦ ନ ହୁଏ ତେବେ ଆଇଏସଆଇଏସକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ।
ଋାଷ୍ଟ୍ରପତି ଟ୍ରମ୍ପଙ୍କ ମୁତାବକ ଏହି ସୈନ୍ୟ ଅଭିଯାନରେ ଆମେରିକା ଅନେକ ସଠିକ୍ ହମଲା କରିଥିଲା । ଏହା କେବଳ ଯୁକ୍ତରାଷ୍ଟ୍ର ଆମେରିକା କରିପାରେ ବୋଲି ଟ୍ରମ୍ପ କହିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ଆତଙ୍କବାଦ ବିରୋଧରେ ଟ୍ରମ୍ପଙ୍କ କଡା ଆଭିମୁଖ୍ୟକୁ ଦର୍ଶାଉଛି । ଟ୍ରମ୍ପ କହିଛନ୍ତି ମୋ ନେତୃତ୍ୱରେ ଚରମପନ୍ଥୀ ଇସଲାମୀ ଆତଙ୍କବାଦୀଙ୍କୁ ଉଠିବାକୁ ଦିଆଯିବ ନାହିଁ । ଏହା ସହିତ ଟ୍ରମ୍ପ ଆମେରିକା ସେନାର ପ୍ରଶଂସା କରି କ୍ରିସମାସର ଶୁଭକାମନା ଜଣାଇ କହିଛନ୍ତି, ଭଗବାନ ଆମର ସେନାକୁ ଆଶୀର୍ବାଦ ଦିଅନ୍ତୁ ଓ ସମସ୍ତଙ୍କୁ ମେରି କ୍ରିସମାସ । ଏପରିକି ମୃତ ଆତଙ୍କବାଦୀଙ୍କୁ ମଧ୍ୟ ମେରି କ୍ରିସମାସ ।
Also read: ଟୋରୋଣ୍ଟୋ ୟୁନିଭର୍ସିଟି ନିକଟରେ ଦିନ ଦ୍ୱିପ୍ରହରରେ ଗୁଳିମାଡ, ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କ ହତ୍ୟା