କେନ୍ଦୁଝର: ଆଜିଠୁ ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେଠାରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଗୋନାସିକା କେନ୍ଦୁଝର ମହୋତ୍ସବ ଏବଂ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହିତ ସେ କାଳି ପଡ଼ିଆରେ ୨୪କୁଣ୍ଡିୟ ଗାୟତ୍ରୀ ଯଜ୍ଞରେ ସାମିଲ୍ ହେବେ। ନୂତନ ରୂପରେ ସଜ୍ଜିତ କାଶିପୁର ପୋଖରୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୩ଦିନ ଧରି ଗସ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ଓ ତେଲକୋଇ ର ବିଭିନ୍ନ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ।
ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ରାଇସୁଆଁ ଏୟାର ଷ୍ଟ୍ରିପରେ ପହଞ୍ଚିବା ପରେ ଆରମ୍ଭ ହେବ ତାଙ୍କର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ। ସେଠାରୁ ସେ ସଡକ ପଥରେ ଯାଇ ପଳାସପଙ୍ଗା LAMPPCର ଉଦଘାଟନ କରିବେ। ଏହାପରେ ମୁରୁସୁଆଁ ଗ୍ରାମ ପଞ୍ଚାୟତ ପଡ଼ିଆରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ। ପରେ ସେ ନେଙ୍କଡ଼ାଘର ଠାରେ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ସହ କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦେଉଥିବା କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଯାହା ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲା ଗସ୍ତରେ ପ୍ରତିଫଳିତ ହେଉଛିl